ଜିଲ୍ଲାରାଜନୀତି

ମହାନଦୀ: ମାସେ ପରେ ବିଜେଡ଼ି ପ୍ରତିନିଧି ଦଳର ରିପୋର୍ଟ

ଭୁବନେଶ୍ୱର : ଛତିଶଗଡ଼ରେ ପ୍ରକଳ୍ପ ଅନୁଧ୍ୟାନ କରି ଫେରିବାର ମାସକ ପରେ ବିଜେଡ଼ି ତଥ୍ୟ ଅନୁସନ୍ଧାନକାରୀ ଦଳ ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି। ଆଜି ଅପରାହ୍ନରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏହି ରିପୋର୍ଟ ପ୍ରଦାନ କରିିଥିଲେ। ମହାନଦୀ ଉପରେ ଛତିଶଗଡ଼ କରୁଥିବା ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି ୨୫ ପୃଷ୍ଠାର ଏହି ରିପୋର୍ଟରେ ଦର୍ଶାଯାଇଛି।

କେବଳ ସେତିକି ନୁହେଁ, ତୁରନ୍ତ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଜରୁରୀ ବୋଲି ରିପୋର୍ଟ ଦର୍ଶାଯାଇଛି।

ବିଜେଡ଼ି ମୁଖିଆଙ୍କୁ ଦିଆଯାଇଥିବା ଆଜିର ରିପୋର୍ଟ ସାର୍ବଜନୀନ ହୋଇନାହିଁ। ମିଳିଥିବା ସୂଚନା ଅନୁଯାୟୀ, ରିପୋର୍ଟରେ ମୁଖ୍ୟତଃ ୭ଟି ପ୍ରସଙ୍ଗ ରହିଛି। ଶିଳ୍ପାନୁଷ୍ଠାନକୁ ପାଣି ଦେବା ଉଦ୍ଦେଶ୍ୟରେ ଛତିଶଗଡ଼ ସରକାର ଏକାଧିକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଫଳରେ ଓଡ଼ିଶାର କ୍ଷତିଗ୍ରସ୍ତ ହେବ। ଏଥିରୁ ପୁଣି ଅନେକ ପ୍ରକଳ୍ପ ପଛରେ ଆବଶ୍ୟକୀୟ ଅନୁମୋଦନ ନାହିଁ। କେଲୋ ଭଳି କିଛି ପ୍ରକଳ୍ପ କ୍ଷେତ୍ରରେ ପରିବେଶ ମଞ୍ଜୁରି ଆଇନର ଖୋଲା ଉଲ୍ଲଂଘନ କରିଛନ୍ତି।
ସେହିପରି ମହାନଦୀ ଉପରମୁଣ୍ଡରେ ନିର୍ମିତ ଓ ନିର୍ମାଣାଧୀନ ଅଧିକାଂଶ ପ୍ରକଳ୍ପ ସମ୍ପର୍କରେ ଓଡ଼ିଶାକୁ ଅନ୍ଧାରରେ ରଖାଯାଇଥିବା ଦର୍ଶାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗର ପରାମର୍ଶ ବି ନିଆଯାଇନାହିଁ। ମହାନଦୀ ଅବବାହିକାରେ ନିର୍ମିତ ପ୍ରକଳ୍ପ ସଂପର୍କରେ ତଥ୍ୟ ଛତିଶଗଡ଼ ସରକାର ଦେଉନଥିବା ନେଇ ଅଭିଯୋଗ ଅଣାଯାଇଛି। ବିଭିନ୍ନ ଋତୁରେ ମହାନଦୀରେ ଜଳ ପ୍ରବାହର ଆକଳନ ନ କରି ଛତିଶଗଡ଼ ବ୍ୟାରେଜ୍‌ ନିର୍ମାଣ କରୁଛି। ଏହାର ପ୍ରଭାବରେ ଓଡ଼ିଶାରେ ଜଳସେଚନ ପ୍ରଭାବିତ ହେବ ଓ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।  ଏଣୁ ତୁରନ୍ତ ଏସବୁ ପ୍ରକଳ୍ପ କାମ ବନ୍ଦ କରାଯିବା ଦରକାର।
ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ ପରେ ପ୍ରତିନିଧି ଦଳ ମୁଖ୍ୟ ସାଂସଦ ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ଛତିଶଗଡ଼ର ପ୍ରକଳ୍ପ ପଛରେ କେନ୍ଦ୍ର ସରକାରଙ୍କ ସହଯୋଗ ରହୁଛି। ଓଡ଼ିଶାର ସ୍ୱାର୍ଥକୁ ବଳି ଦେବା ପାଇଁ ମିଳିତ ଚକ୍ରାନ୍ତ ହୋଇଛି। ଯେଉଁଥିରେ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ସହ  ରାଜ୍ୟ ବିଜେପିର ହାତ ଥିବା କଥାକୁ ଏଡାଇ ଦିଆଯାଇନପାରେ।
ଉଲ୍ଲେଖଯୋଗ୍ୟ, ଗତମାସ ଅର୍ଥାତ୍‌ ଅଗଷ୍ଟ ୯ ଓ ୧୦ ତାରିଖ ଦୁଇଦିନ ଧରି ଛତିଶଗଡ଼ ଗସ୍ତ କରିଥିଲେ ବିଜେଡ଼ିର ୧୨ ଜଣିଆ ପ୍ରତିନିଧି ଦଳ। ମୁଖ୍ୟମନ୍ତ୍ରୀଙ୍କୁ ୭ ଦିନ ଭିତରେ ରିପୋର୍ଟ ଦିଆଯିବ ବୋଲି ପ୍ରତିନିଧି ଦଳ କହିଥିଲେ। ମାତ୍ର ଆଜି ମାସେ ପରେ ଏହି ରିପୋର୍ଟ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button