କଳା ଓ ସଂସ୍କୃତିରାଜ୍ୟ

ନୂଆ ମୁକୁଟ ପିନ୍ଧିଲେ ମହାଲକ୍ଷ୍ମୀ

ଆଓରି(ତା୧୯|୪)-  ପବିତ୍ର ଅକ୍ଷୟ ତୃତୀୟାରେ ମା’ ମହାଲକ୍ଷ୍ମୀଙ୍କ ମସ୍ତକରେ ଶୋଭାପାଇଛି ନୂଆ ସୁନା କିରୀଟ। ୭୫୫ ଗ୍ରାମ ଓଜନ ବିଶିଷ୍ଟ ଏହି କିରୀଟ ଦୁଇ ଥାକିଆ ହୋଇ ନିର୍ମାଣ ହୋଇଛି। ପଛ ପାର୍ଶ୍ୱରେ କିରଣ ରହିଥିବାବେଳେ ଆଗ ପାର୍ଶ୍ୱରେ କିରୀଟ ରହିଛି। କିରୀଟରେ ଲାଲ, ଧଳା ଓ ସବୁଜ ରଙ୍ଗର ରତ୍ନପଥର ଲାଗିଛି। ଏହାର ଦାମ୍‌ ପ୍ରାୟ ୨୫ରୁ ୨୭ ଲକ୍ଷ ଟଙ୍କା ହେବ। ଏହି କିରୀଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା କୁହାଯାଉଥିବାବେଳେ କେହି ଏହାକୁ ଜଣେ ଭକ୍ତ ଦାନ ଆକାରରେ ଦେଇଥିବା ଶୁଣିବାକୁ ମିଳୁଛି।
ଶ୍ରୀମନ୍ଦିର ପରିସରରେ ରହିଛି ମା’ ମହାଲକ୍ଷ୍ମୀଙ୍କ ମନ୍ଦିର। ମା’ଙ୍କ କିରିଟୀ ଦୁର୍ବଳ ହୋଇପଡିଥିଲା। ଏଥିରେ ଲାଗିଥିବା ଓଷୁଅ ଛାଡି ଯାଇଥିଲା। ଗତବର୍ଷ ଅକ୍ଟୋବର ମାସରେ ଏହା ଜଣାପଡିବା ପରେ ନୂଆ କିରୀଟ ତିଆରି ଲାଗି ମହାଲକ୍ଷ୍ମୀ ମନ୍ଦିରର ପୂଜକ ଏବଂ ସେବାୟତମାନେ ଶ୍ରୀମନ୍ଦିରର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ଏକାଧିକଥର ଆଲୋଚନା ହୋଇଥିଲା। ଲକ୍ଷ୍ମୀ ମନ୍ଦିର ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃତ୍ୱରେ ନ ଥିବା ମୁଖ୍ୟ ପ୍ରଶାସକ କହିଥିଲେ। ଲକ୍ଷ୍ମୀ ମନ୍ଦିର ଭଣ୍ଡାରର ଯାଞ୍ଚ କରାଯିବା ପରେ ମା’ଙ୍କ ପାଇଁ ନୂଆ କିରୀଟ ହେବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ। କଟକର ୨ଜଣ ବଣିଆ ସହ ଶ୍ରୀମନ୍ଦିର ବଣିଆ ମିଶି ପୁରୁଣା କିରୀଟିର ସ୍ଥିତି ପରଖି ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ଦେଇଥିଲେ। ପରେ କଟକରେ ମା’ଙ୍କ ପାଇଁ ନୂଆ କିରୀଟ ତିଆରି ହୋଇଥିଲା।
ସୂଚନାଯୋଗ୍ୟ, ମହାଲକ୍ଷ୍ମୀ ଠାକୁରାଣୀଙ୍କ ଭଙ୍ଗା କିରୀଟକୁ ସେବାୟତମାନେ ମନ୍ଦିର ପରିସରସ୍ଥ ଆଲମିରାରେ ରଖି ଦେଇଥିଲେ। ଏ ସମ୍ପର୍କରେ କେବଳ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିବାଦ ଦେଖାଦେଇଥିଲା। ଗତବର୍ଷ ମାର୍ଗଶିର ମାସ ୩ଟି ଗୁରୁବାର ମହାଲକ୍ଷ୍ମୀ ଠାକୁରାଣୀ ବିନା କିରୀଟରେ ପୂଜିତ ହୋଇଥିଲେ। ୨୦୧୭ ସେପ୍ଟେମ୍ବର ୩୦ ମାର୍ଗଶିର ଶେଷ ଗୁରୁବାରରେ ମା’ଙ୍କ କିରୀଟକୁ ସାମାନ୍ୟ ମରାମତି କରାଯାଇ ଲାଗି କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button