Uncategorized

ଗାଁରେ ଜଳାଭାବ, ନଈକୁ ଗୋଡ଼ କାଢ଼ିଲେ କୁମ୍ଭୀର ଭୟ

ଆ.ଓ.ରି(ତା୨୦|୫)-

ବିଶ୍ୱପ୍ରସିଦ୍ଧ ଭିତରକନିକା ଆଖପାଖ ନଈକୂଳିଆ ଲୋକଙ୍କୁ କୁମ୍ଭୀର ଆତଙ୍କ। ଏବେ ପ୍ରଜନନ ଋତୁ ପାଇଁ ବ୍ରାହ୍ମଣୀ ଓ ଏହାର ଶାଖା ନଦୀଗୁଡ଼ିକରେ କୁମ୍ଭୀରଙ୍କୁ ନେଇ ସବୁ ସମୟରେ ବିପଦ। ଗତ ଏପ୍ରିଲ୍ ୨୧ ତାରିଖରେ ରାଜନଗର ଡିଆପାରୀ ଗାଁ ପାଖ ହଂସୁଆ ନଈରେ ଭାଇ ସାଙ୍ଗରେ ଗାଧୋଉ ଗାଧୋଉ ଉଭାନ୍ ହୋଇଯାଇଥିଲା ୧୪ ବର୍ଷର ବାଳକ ଶ୍ରୀକାନ୍ତ। ପରଦିନ ମିଳିଥିଲା ଶ୍ରୀକାନ୍ତଙ୍କ ମଲାଦେହ। ଏଠି ରାଜପୁର ଗାଁ ବ୍ରାହ୍ମଣୀ ନଈ କୂଳରେ ବି ସେଇ ଭୟ, ସେଇ ଆତଙ୍କ। ହେଲେ ଉପାୟ ନାହିଁ।

ଖରାଦିନେ ଗାଁ ଭିତରେ ଉତ୍କଟ ଜଳାଭାବ। ତେଣୁ ନଈକୂଳିଆ ମଣିଷଙ୍କ ଯାବତୀୟ କାମ ପାଇଁ ନଈକୁ ଓହ୍ଲାଇବାକୁ ତ ହେବ?ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ସବୁ ନଈ ନାଳରେ ବର୍ଷକ ବାରମାସୀ ମାଳ ମାଳ କୁମ୍ଭୀର।ଏମିତିକି ଗାଁ ଜଳାଶୟ, ବାଡ଼ି ଘରେ ବି କୁମ୍ଭୀରର ଭୟ। ଏବେ କୁମ୍ଭୀରଙ୍କ ପ୍ରଜନନ ଋତୁ ଲାଗି ବିପଦ ଆହୁରି ଅଧିକ।

ଏଭଳି ସ୍ଥିତିରେ ଲୋକଙ୍କୁ କୁମ୍ଭୀର ଆକ୍ରମଣରୁ ବଂଚାଇବା ଲାଗି ନଈରେ ସୁରକ୍ଷିତ ଗାଧୁଆ ତୁଠର ଆବଶ୍ୟକତା ରହିଛି। ତେବେ କେବଳ ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧୦୦ରୁ ଅଧିକ ଜାଲଘେରା ଗାଧୁଆ ତୁଠର ଆବଶ୍ୟକତା ଥିବା ବେଳେ ବନ ବିଭାଗ କେବଳ ସତର୍କ ରହିବାକୁ କହି ମାତ୍ର ୪ଟି ଗାଧୁଆ ତୁଠ ତିଆରି କରି ଚୁପ୍ ରହିଥିବା ଅଭିଯୋଗ ହେଉଛି।

ଗତ ଦୁଇ ବର୍ଷ ଭିତରେ ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କୁମ୍ଭୀର ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୧୫ରୁ ଅଧିକ ଆହତ ହୋଇଛନ୍ତି। ହେଲେ ଏସବୁ ସତ୍ତ୍ୱେ ବି ପ୍ରଶାସନ ଓ ବନ ବିଭାଗର ନିଦ ଭାଙ୍ଗୁନି। ଏପରିକି ଏମିତି ଜାଲଘେରା ଗାଧୁଆ ତୁଠ ବନେଇବାକୁ ବି ସମୟ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button