ରାଜନୀତି

କଂଗ୍ରେସରେ ଆର୍ଥିକ ସଙ୍କଟ: ୫ ମାସ ହେଲା ପିସିସିକୁ ଟଙ୍କାଟିଏ ବି ମିଳିନି

ଆ.ଓ.ରି(ତା୨୪|୫)-ଦେଶର ସର୍ବ ପୁରାତନ ଦଳ କଂଗ୍ରେସରେ ଏବେ ପାଣ୍ଠିର ଘୋର ସଙ୍କଟ ଦେଖା ଦେଇଛି। ପାଞ୍ଚ ମାସ ହେଲାଣି ଏଆଇସିସିରୁ କୌଣସି ପିସିସିକୁ ଟଙ୍କାଟିଏ ବି ଫଣ୍ଡ ଆସିନି। ଏମିତିକି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ବି ଦଳ ଅର୍ଥ ସଂଗ୍ରହ କରିପାରୁନି। ସ୍ଥିତିର ମୁକାବିଲା ପାଇଁ ଦଳୀୟ ସଦସ୍ୟମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛି କଂଗ୍ରେସ। ଏଥିସହିତ ଖର୍ଚ୍ଚ କମାଇବାକୁ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କଂଗ୍ରେସର ଅବସ୍ଥା ଏଭଳି ହୋଇଛି ଯେ, ଦଳ ଚଳାଇବାକୁ ନେତା ଓ କର୍ମୀଙ୍କୁ ହାତ ପତାଇବା ଭଳି ସ୍ଥିତି ଉପୁଜିଛି ବୋଲି ଦଳର ସୋସିଆଲ୍ ମିଡିଆ ମୁଖ୍ୟ ଦିବ୍ୟା ସ୍ପନ୍ଦନା କହିଛନ୍ତି। କଂଗ୍ରେସ ଦଳର ଏଭଳି ସ୍ଥିତିକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ କିଛି ଏପରି କିଛି ଖବର ବିସ୍ତୁତ ଭାବେ ପ୍ରକାଶ ପାଇଛି।

ଅନ୍ୟପଟେ କିନ୍ତୁ ବିତ୍ତଶାଳୀ ହେବାରେ ଲାଗିଛି ବିଜେପି। ଏଡିଆର ସର୍ଭେ ରିପୋର୍ଟ ଆନୁସାରେ ୨୦୧୭ ଆର୍ଥିକ ବର୍ଷରେ ବିଜେପିର ପାଣ୍ଠି ୮୧ ପ୍ରତିଶତ ବୃଦ୍ଧି ପାଇ ୧ ହଜାର ୩୪ କୋଟିରେ ପହଞ୍ଚିଛି। ଏପରି କ୍ଷେତ୍ରରେ କଂଗ୍ରେସର ପାଣ୍ଠି ୧୪ ପ୍ରତିଶତ କମି ୨୨୫ କୋଟିରେ ସୀମିତ ରହିଥିଲା। ବହୁ ରାଜ୍ୟରେ କଂଗ୍ରେସ କ୍ଷମତା ହରାଇବା ପରେ ଏବେ ସେଠାରେ ବିଭିନ୍ନ କର୍ପୋରେଟ୍ ସେକ୍ଟରରୁ ମଧ୍ୟ ପାଣ୍ଠି ସଂଗ୍ରହ ବନ୍ଦ ହୋଇଯାଇଛି।

ବର୍ତ୍ତମାନ ସମୟରେ ବିଜେପି ୨୧ଟି ରାଜ୍ୟରେ କ୍ଷମତାରେ ଥିବାବେଳେ କଂଗ୍ରେସ ମାତ୍ର ଦୁଇଟି ବୃହତ୍ ରାଜ୍ୟ ପଞ୍ଜାବ ଓ କର୍ଣ୍ଣାଟକ ତଥା ପୁଡୁଚେରୀ ଓ ମିଜୋରାମ୍ କ୍ଷମତାରେ ରହିଛି। ତେଣୁ ପାଣ୍ଠି ସଂଗ୍ରହରେ ଏହା ବଡ଼ ପ୍ରତିବନ୍ଧକ ସାଜିଛି। ଏବେଠୁ ଗୁରୁତର ପାଣ୍ଠି ସଙ୍କଟରେ ଗତି କରୁଥିବା କଂଗ୍ରେସ, ଆଗାମୀ ୨୦୧୯ ନିର୍ବାଚନରେ ଶକ୍ତିଶାଳୀ ବିଜେପିକୁ ନିର୍ବାଚନ ମଇଦାନରେ କେମିତି ଟକ୍କର ଦେବ ଏବେ ତା ଉପରେ ସମସ୍ତଙ୍କ ନଜର।

Related Articles

Leave a Reply

Your email address will not be published. Required fields are marked *

Back to top button