ରାଜ୍ୟ

ପ୍ରାଣ ନେଇ ଫେରିଲେ ପ୍ରାଣକୃଷ୍ଣ

ଆ.ଓ.ରି(୧୭|୫)-ସଫଳ ହେଲା ଅପେରସନ୍ ପ୍ରାଣକୃଷ୍ଣ । ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଅପରେସନ୍ ପରେ ଅଟକି ରହିଥିବା ପାଇପ୍ ଭିତରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ ମୁଦୁଲି। ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ଫେରିଛନ୍ତି ପ୍ରାଣକୃଷ୍ଣ। କଂକ୍ରିଟ କଟାଯାଇ ତାଙ୍କୁ ପାଇପ୍ ଭିତରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ପ୍ରାଣକୃଷ୍ଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍‌ନାଲ୍‌ ମୁଖ୍ୟାଳୟ ନିକଟ ପମ୍ପିଂ ଷ୍ଟେସନ ପାଇପ୍‌ରେ ପ୍ରାଣକୃଷ୍ଣ ଫସି ଯାଇଥିଲେ। ସୂଚନା ଅନୁସାରେ ପୋଲିସ କଲୋନୀ ପମ୍ପିଂ ଷ୍ଟେସନ୍ ପାଇପ୍ ଜାମ୍ ହୋଇଥିବାରୁ ତାହାକୁ ସଫା କରିବା ପାଇଁ ପ୍ରାଣକୃଷ୍ଣ ଏକ ଛୋଟ ଟାଙ୍କିକୁ ଓହ୍ଲାଇଥିଲେ।  କିନ୍ତୁ ସମ୍ଭବତଃ, ସେହି ସମୟରେ ଅସାବଧାନତା ବଶତଃ ପମ୍ପିଂ ଷ୍ଟେସନ୍‌ର କର୍ମଚାରୀ ପମ୍ପ୍ ଚାଲୁ କରିଦେବା ଫଳରେ ପ୍ରାଣକୃଷ୍ଣ ପାଣି ପ୍ରେସର୍‌ରେ ପାଇପ୍‌ରେ ୨୦-୨୫ ଫୁଟ୍ ଭିତରକୁ ପଶି ଯାଇଥିଲେ।ପାଇପ୍‌ର ଓସାର ପ୍ରାୟ ଅଢ଼େଇ ଫୁଟ୍ ହୋଇଥିବାରୁ ବ୍ୟକ୍ତି ଜଣକ ବାହାରି ପାରୁନ ଥିଲେ।  ତାଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରିଥିଲେ।  ତେବେ ପାଇପ୍ ଭିତରୁ ତାଙ୍କ କଥା ଶୁଣାଯାଉଥିବାର ସେ ବଞ୍ଚିଥିବା ଆଶା ଉଜ୍ଜୀବିତ ହୋଇଥିଲା । ପ୍ରାଣକୃଷ୍ଣ ଶ୍ୱାସରୁଦ୍ଧ ନ ହେବା ପାଇଁ ପାଇପ୍ ଭିତରକୁ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button