ରାଜ୍ୟ

କୁନ୍ଦୁଲି ଗଣବଳାତ୍କାର ମାମଲା: ରାଜ୍ୟ ସରକାର, ସିବିଆଇ, ଡିଜିପିଙ୍କୁ ନୋଟିସ

ଆଓରି(ତା୧୨|୪)- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁନ୍ଦୁଲି ଗଣବଳାତ୍କାର ଏବଂ ପୀଡିତାଙ୍କ ଆତ୍ମହତ୍ୟା ମାମଲାର ଶୁଣାଣି ହାଇକୋର୍ଟରେ ଆରମ୍ଭ ହୋଇଛି। ବୁଧବାର ଏ ସଂକ୍ରାନ୍ତରେ ଆଗତ ୫ଟି ମାମଲାର ଏକତ୍ର ଶୁଣାଣି ହୋଇଥିଲା। ଉକ୍ତ ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ସିବିଆଇ, ଗୃହ ସଚିବ, ଡିଜିପି, କୋରାପୁଟ ଏସ୍‌ପିଙ୍କ ସମେତ ଅନ୍ୟ ପ୍ରତିପକ୍ଷମାନଙ୍କୁ ମେ ୩ ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୩କୁ ଦିନଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) କୁନ୍ଦୁଲି ମାମଲାର ତଦନ୍ତ କରୁଛି। ହେଲେ ଏହି ତଦନ୍ତ ଉପରେ ପୀଡ଼ିତାଙ୍କ ମା’ ଓ ଭାଇ ଭରସା ହରାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବା ସହିତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ହାଇକୋର୍ଟରେ ୩ଟି ମାମଲା ରୁଜୁ ହୋଇଛି। ଆବେଦନକାରୀମାନେ ପିଟିଶନରେ ଦର୍ଶାଇଛନ୍ତି ଯେ, ୨୦୧୭ ଅକ୍ଟୋବର ୧୦ରେ କୁନ୍ଦୁଲି ପୀଡ଼ିତାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ମାତ୍ର ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳିବାରୁ ଗତ ଜାନୁୟାରୀ ୨୨ରେ ସେ ଆତ୍ମହତ୍ୟା କରିଥିଲେ। ଓଡ଼ିଶା ପୋଲିସ ଉପରେ ଭରସା ନ ଥିବାରୁ ସିବିଆଇ ତଦନ୍ତ ହିଁ ସତ୍ୟାସତ୍ୟ ଉନ୍ମୋଚନ କରିପାରିବ ବୋଲି ପିଟିଶନରେ ଆବେଦନକାରୀମାନେ ଦର୍ଶାଇଛନ୍ତି। ତେବେ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଦୁର୍ବଳ କରିଦେବା ପାଇଁ ଓଡ଼ିଶା ପୋଲିସ ତଦନ୍ତକୁ ବାଟବଣା କରିଛି ବୋଲି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ନରେନ୍ଦ୍ର ହୋଦା ଯୁକ୍ତି ଉପସ୍ଥାପନା କରି କୋର୍ଟଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାର ନ୍ୟାୟ ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ଯେଉଁଥିପାଇଁ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ ନ କରି ପୋଲିସ ପକ୍ଷରୁ ଗଣବଳାତ୍କାର ଅଭିଯୋଗ ମିଥ୍ୟା ବୋଲି ଦର୍ଶାଇ ଚପାଇଦେବା ପାଇଁ ଉଦ୍ୟମ କରାଯାଇଛି। ତେଣୁ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଭାର ଦିଆଯିବା ଆବଶ୍ୟକ ବୋଲି ଆଚାର୍ଯ୍ୟ ଯୁକ୍ତି ମାଧ୍ୟମରେ କୋର୍ଟଙ୍କୁ ନିବେଦନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button