ରାଜନୀତିରାଜ୍ୟ

କୁଣ୍ଡୁଲି ପୀଡ଼ିତାଙ୍କ ଆତ୍ମହତ୍ୟା

କୋରାପୁଟ: ଗତକାଲି ନିଜ ଘରେ ନିଜ ଓଢଣୀରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି କୁନ୍ଦୁଲି ପୀଡିତା। ତାଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ ସାରା ଜିଲ୍ଳାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆଜି ଡାକ୍ତରଖାନାରୁ ମୃତଦେହ ନେଇ ଲୋକେ ୨୬ ନମ୍ବର ଜାତୀୟ ରାଜପଥର କୁନ୍ଦୁଲି ଛକରେ ରାଜପଥ ଅବରୋଧ କରି ରାଜ୍ୟ ସରକାରଙ୍କ ଅବହେଳା ଓ ଉଦାସୀନତାକୁ ପ୍ରତିବାଦ କରିଛନ୍ତି। କୋରାପୁଟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପଟାଙ୍ଗୀ ଥାନାଧିକାରୀଙ୍କୁ ବହିଷ୍କାର କରିବା ଦାବିରେ ମୃତ ପୀଡ଼ିତାଙ୍କ ପରିବାର, ଗ୍ରାମବାସୀମାନେ ରାସ୍ତାରୋକ ଚଳାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବରିଷ୍ଠ ଜନଜାତି ନେତା ତଥା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି। ରାସ୍ତାରୋକ ଯୋଗୁଁ ପରିସ୍ଥିତି ଧୀରେ ଧୀରେ ଅଣାୟତ ହେବାକୁ ଯାଉଛି।
କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳର ଏହି ନବମ ଶ୍ରେଣୀ ଛାତ୍ରୀଙ୍କୁ ଗତ ଅକ୍ଟୋବର ୧୦ତାରିଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। କୁନ୍ଦୁଲିରେ ଫଟୋ ଉଠାଇ ଦିନ ପ୍ରାୟ ୧୧ଟା ବେଳକୁ ନିଛାଟିଆ ରାସ୍ତାରେ ଏକୁଟିଆ ଯାଉଥିବା ସମୟରେ ୪ଜଣ ଯବାନ ପୋଷାକ ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ପରେ ତାଙ୍କୁ କଟକ ବଡ ମେଡିକାଲ ମଧ୍ୟ ନିଆଯାଇଥିଲା। ସେଠାରୁ ସୁସ୍ଥ ହୋଇ ଫେରିବା ପରେ ଗତ ନଭେମ୍ବର ୨୮ତାରିଖରେ ଘରକୁ ଫେରିଥିଲେ। ସେହିଦିନଠାରୁ ସେ ଘରେ ରହି ଆସୁଥିଲେ।ଗତକାଲି ଅପରାହ୍ନରେ ସେ ଘରେ ଓଢଣୀରେ ଫାଶୀ ଲଗାଇ ଝୁଲି ପଡିଥିଲେ। ଘର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁନ୍ଦୁଲି ମେଡିକାଲରେ ଅପରାହ୍ନ ପ୍ରାୟ ୩ଟା ବେଳେ ଭର୍ତ୍ତି କରିଥିଲେ। ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଛାତ୍ରୀଙ୍କ ମୃତ୍ୟୁ ପରେ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସକୁ ଲୋକେ ଗାଳିଗୁଲଜ କରିବା ସହ ନ୍ୟାୟ ନ ମିଳିବାରୁ ସେ ଆତ୍ମହତ୍ୟା କରିଥିବା ଘର ଲୋକ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button