ରାଜନୀତି

ମୋଦି ବିରୋଧୀ ମହାମେଳିରେ ଶପଥ ନେଲେ କୁମାରସ୍ୱାମୀ

ଆ.ଓ.ରି(ତା୨୪|୫)-

କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହ ବାହାନାରେ ମୋଦି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ। ଗୋଟିଏ ମଞ୍ଚରେ ଏକାଠି ହେଲେ ସୋନିଆ, ରାହୁଲ, ମମତା, ମାୟାବତୀ, ଅଖିଳେଶ ଓ ଚନ୍ଦ୍ରବାବୁଙ୍କ ଭଳି ଡଜନେରୁ ଅଧିକ ତୁଙ୍ଗ ରାଜନେତା । ବାର୍ତ୍ତା ଦେଇଛନ୍ତି, ଏବେ ଏକାଠି ହେବାର ସମୟ। ଏହାରି ଭିତରେ ଏକ ଭବ୍ୟ ସମାରୋହରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏଚ୍.ଡି. କୁମାରସ୍ୱାମୀ। ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି କଂଗ୍ରେସର ଜି. ପରମେଶ୍ୱର।

ଆଜି ଥିଲା କର୍ଣ୍ଣାଟକ ହାଇଡ୍ରାମାର ଆଉ ଏକ ଅଧ୍ୟାୟ। ଭବ୍ୟ ବିଧାନ ସୌଧ ଆଗରେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହ । ଅସଂଖ୍ୟ ସମର୍ଥକ ଓ ହାଇପ୍ରୋଫାଇଲ୍ ନେତାଙ୍କ ଉପସ୍ଥିତିରେ ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏଚ୍.ଡି. କୁମାରସ୍ବାମୀ । ରାଜ୍ୟପାଳ ବାଜୁଭାଇ ଭାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । କୁମାରସ୍ୱାମୀ ଆସନ୍ତାକାଲି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ। କୁମାରସ୍ୱାମୀଙ୍କ ଏହି ଅଭିଷେକ ପର୍ବଠାରୁ ଅଧିକ ଚର୍ଚ୍ଚାରେ ରହିଛି ସମାରୋହ ପର୍ବରେ ମୋଦି ବିରୋଧୀଙ୍କ ମହାମେଳି।

ଶପଥ ଗ୍ରହଣ ସମାରୋହରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍, କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ବିଏସପି ସୁପ୍ରିମୋ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ  ଅଖିଳେଶ ଯାଦବ, ଏନସିପି ଅଧ୍ୟକ୍ଷ ଶରଦ ପାଓ୍ୱାର, ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ, ବରିଷ୍ଠ ସିପିଆଇ ନେତା ଡି. ରାଜାଙ୍କ ଭଳି ବହୁ ତୁଙ୍ଗ ନେତା ସାମିଲ ହୋଇଥିଲେ।  କୁମାରସ୍ୱାମୀଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡ଼ି.ଦେବେଗୌଡ଼ା ସବୁ ନେତାଙ୍କୁ ମଂଚ ଉପରେ  ସ୍ୱାଗତ କରିଥିଲେ । ସମାରୋହ ପୂର୍ବରୁ ଉଭୟ ମମତା ଓ ଚନ୍ଦ୍ରବାବୁ ସମସ୍ତ ଆଞ୍ଚଳିକ ଦଳ ଏକାଠି ହେବାର ସମୟ ଆସିଛି ବୋଲି କହିଥିଲେ।

ବିଜେପି ଏହାକୁ ଭ୍ରଷ୍ଟାଚାରର ଉତ୍ସବ କହି ପାଲଟା ଆକ୍ରମଣ କରିଛି। ସେପଟେ ମାତ୍ର ୨ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିବା ବି.ଏସ୍.ୟେଦୁରପ୍ପା କହିଛନ୍ତି ଏହି ଅପବିତ୍ର ମେଣ୍ଟ ୩ ମାସରୁ ଅଧିକ ତିଷ୍ଠି ପାରିବ ନାହିଁ।

 

Related Articles

Leave a Reply

Your email address will not be published. Required fields are marked *

Back to top button