ଦ୍ଵିତୀୟ ଦିନ ତୃତୀୟ ମ୍ୟାଚରେ ନାଇଟ ରାଇଡର୍ସର ସହଜ ବିଜୟ
1 min read
ଆଜିର ଓଡିଶା (ତା୯|୪)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ତୃତୀୟ ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ୭ଟି ବଲ ବାକିଥାଇ ରବିବାର ୪ ଉଇକେଟରେ ଅତି ସହଜରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ଇଡେନ ଗାର୍ଡେନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିତି କୋଲକାତା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୭ ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ଓପନର ସୁନୀଲ ନାରିନଙ୍କ ଧୂଆଁଧାର ଅର୍ଦ୍ଧଶତକ (୫୦ ରନ୍, ୧୯ ବଲ, ୪ ଚୌକା, ୫ ଛକା) ସହାୟତାରେ ୧୮.୫ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଦ୍ରୁତ ବ୍ୟାଟିଂ ପାଇଁ ସୁନୀଲ ନାରିନ ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। କୋଲକାତା ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ରବିନ ଉଥାପ୍ପା ୧୩, ନୀତିଶ ରାଣା ୩୪, ଆନ୍ଦ୍ରେ ରସେଲ ୧୫ ରନ କରି ଆଉଟ ହୋଇଥିଲେ। ତେବେ ଅଧିନାୟକ ଦୀନେଶ କାର୍ତ୍ତିକ ୨୯ ବଲରୁ ୪ ଚୌକା ସହ ୩୫ ରନ କରି ଅପରାଜିତ ରହି ଦଳକୁ ଜିତାଇଥିଲେ। ବୋଲିଂରେ ବାଙ୍ଗାଲୋର ତରଫରୁ କ୍ରିସ ଓ୍ବକ୍ସ ୩, ଉମେଶ ଯାଦବ ୨ ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଉଇକେଟ ନେଇଥିଲେ।
ପୂର୍ବରୁ ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ତରଫରୁ ଅଭିଜ୍ଞ ଏବି ଡି’ଭିଲର୍ସ ୨୩ ବଲ୍ରୁ ୧ ଚୌକା ଓ ୫ ଛକା ସହ ସର୍ବାଧିକ ୪୪, ଓପନର ବ୍ରେଣ୍ଡନ ମ୍ୟାକୁଲମ୍ ୨୭ ବଲରୁ ୬ ଚୌକା ଓ ୨ ଛକା ସହ ୪୩, ମନଦୀପ ସିଂ ୧୮ ବଲରୁ ୩୭ ଓ ଅଧିନାୟକ ବିରାଟ କୋହଲି ୩୩ ବଲରୁ ୩୧ ରନ ସଂଗ୍ରହ କରିଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକ୍ ୪, ସର୍ଫରାଜ ଖାନ ୬ ଓ କ୍ରିସ୍ ଓ୍ବକ୍ସ ୫ ରନ କରି ଆଉଟ ହୋଇଥିଲେ। ବୋଲିଂରେ କୋଲକାତା ତରଫରୁ ଆର. ବିନୟ କୁମାର ଓ ନିତିଶ ରାଣା ୨ଟି ଲେଖାଏ, ପୀୟୂଷ ଚାଓ୍ବଲା, ସୁନୀଲ ନାରିନ ଓ ମିଚେଲ ଜନସନ ଗୋଟିଏ କରି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
୨୦ ଓଭରରେ ୧୭୬/୭
ଡି’ଭିଲର୍ସ- ୪୪, ମ୍ୟାକୁଲମ- ୪୩, ମନଦୀପ- ୩୭, କୋହଲି- ୩୧, ବିନୟ କୁମାର- ୨/୩୦, ରାଣା- ୨/୧୧)।
କୋଲକାତା ନାଇଟ ରାଇଡର୍ସ
୧୮.୫ ଓଭରରେ ୧୭୭/୬
(ନାରିନ- ୫୦, ରାଣା- ୩୪, କାର୍ତ୍ତିକ- ୩୫*, ରସେଲ- ୧୫, ଉଥାପ୍ପା- ୧୩, ଓ୍ବକ୍ସ- ୩/୩୬, ଉମେଶ- ୨/୨୭)।