ସର୍ବାଧିକ ଆଇପିଏଲ୍ ରନ୍ ସ୍କୋରର ହେଲେ କୋହଲି
1 min read
ଆଓରି(ତା୧୯|୪)- ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇପାରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ପୂର୍ବରୁ ସୁରେଶ ରୈନା ଆଇପିଏଲ୍ରେ ୪୫୫୮ ରନ୍ ସଂଗ୍ରହ କରି ସର୍ବାଧିକ ରନ୍ ସଂଗ୍ରହକାରୀ ଥିବା ବେଳେ ତାଙ୍କୁ ପଛରେ ପକାଇଛନ୍ତି କୋହଲି। କୋହଲି ୧୫୩ଟି ମ୍ୟାଚ୍ରୁ ୪୬୧୯ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି।
ମୁମ୍ବଇ ଇଣ୍ଡିଆନ୍ସ ବିରୋଧରେ ଖେଳାଯାଇଥିବା ମ୍ୟାଚ୍ରେ ବାଙ୍ଗାଲୋର ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳି କୋହଲି ୬୨ଟି ବଲ୍ରୁ ୯୨ ରନ୍ ସଂଗ୍ରହ କରଥିଲେ। ଏହିକ୍ରମରେ ସେ ଚଳିତ ସିଜିନ୍ରେ ୨୦୧ ରନ୍ ସଂଗ୍ରହ କରି ସର୍ବାଧିକ ରନ୍ସଂଗ୍ରହକାରୀ ଭାବେ ଅରେଞ୍ଜ୍ କ୍ୟାପ୍ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ତେବେ ତାଙ୍କ ଦଳ ମୁମ୍ବଇଠାରୁ ପରାସ୍ତ ହୋଇଥିବା ଦୃଷ୍ଟିରୁ ନାରଙ୍ଗି ଟୋପି ପିନ୍ଧିବାକୁ ତାଙ୍କର ଆଦୌ ଆଗ୍ରହ ନାହିଁ ବୋଲି ମତ ଦେଇଛନ୍ତି କୋହଲି। ଏହି ମ୍ୟାଚ୍ରେ ବିଜୟ ପାଇଁ ବାଙ୍ଗାଲୋର ସମ୍ମୁଖରେ ୨୧୪ ରନ୍ର ଲକ୍ଷ୍ୟ ଥିବା ବେଳେ ଦଳ ମୂଳରୁ କ୍ରମାଗତ ୱିକେଟ୍ ହରାଇ ୪୬ ରନ୍ରେ ପରାସ୍ତ ହୋଇଥିଲା। ମ୍ୟାଚ୍ରେ ମୁମ୍ବଇ ବୋଲର ଓ ବ୍ୟାଟସମ୍ୟାନ୍ମାନେ ଯେପରି ଭାବେ ପ୍ରଦର୍ଶନ କଲେ ତାହାକୁ ଉଚ୍ଚପ୍ରଶଂସା କରିଛନ୍ତି କୋହଲି। ମୁମ୍ବଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା ନିଜ ପ୍ରତିକ୍ରିୟାରେ କହିଛନ୍ତି ମୂଳରୁ ୱିକେଟ୍ ହରାଇବା ସତ୍ତେ୍ୱ ଦଳ ୨୧୩ ରନ୍ ସ୍କୋର କରିବା ବାସ୍ତବିକ ପ୍ରଶଂସନୀୟ। ପ୍ରଥମ ମ୍ୟାଚ୍ ଜିତିଥିବାରୁ ଖେଳାଳିଙ୍କ ମନୋବଳ ନିଶ୍ଚିତ ଭାବେ ବୃଦ୍ଧି ପାଇଥିବ ଓ ଆଗାମୀ ମ୍ୟାଚ୍ରେ ଦଳ ଆହୁରି ଭଲ ପ୍ରଦର୍ଶନ କରି ବିଜୟୀ ହେବାକୁ ପ୍ରୟାସ କରିବ।