April 25, 2024

ରାହୁଲଙ୍କ ଦ୍ରୁତତମ ଅର୍ଦ୍ଧଶତକ

1 min read

ଆଜିର ଓଡିଶା (ତା୯|୪)-ଲୋକେଶ ରାହୁଲଙ୍କ ଦ୍ରୁତତମ ଅର୍ଦ୍ଧଶତକ ବଳରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିଜୟ ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଅଭିଯାନ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ ୬ ଉଇକେଟରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ହରାଇ ଦେଇଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୧୬୭ ରନ ବିଜୟ ଲକ୍ଷ୍ୟକୁ ପଞ୍ଜାବ ୧୮.୫ ଓଭରରେ ୪ ଉଇକେଟ ହରାଇ ହାସଲ କରିଛି। ୧୪ ବଲ୍‌ରୁ ୫୦ ରନ ପୂରଣ କରି ଦ୍ରୁତ ଆଇପିଏଲ ଅର୍ଦ୍ଧଶତକ ରେକର୍ଡର ଅଧିକାରୀ ହୋଇଥିବା ଲୋକେଶ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଏ କ୍ଷେତ୍ରରେ ସେ ସୁନୀଲ ନାରିନ ଓ ୟୁସୁଫ ପଠାନ(ଉଭୟେ ୧୫ ବଲ୍‌ରୁ ଅର୍ଦ୍ଧଶତକ)ଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗିଛନ୍ତି। ଏଠାରେ ଲୋକେଶ ୧୬ ବଲ୍‌ରୁ ୫୧(୬ ଚୌକା, ୪ ଛକା) ରନ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କରୁଣ ନାୟାର ୩୩ ବଲ୍‌ରୁ ୫୦(୫ ଚୌକା, ୨ ଛକା) ରନ କରି ଆଉଟ ହୋଇଥିବାବେଳେ ଡେଭିଡ ମିଲର ୨୩ ବଲ୍‌ରୁ ୨୪ ଓ ମାର୍କୁସ ଷ୍ଟୋଇନ୍ସ ୧୫ ବଲ୍‌ରୁ ୨୨ ରନରେ ଅପରାଜିତ ରହିଥିଲେ। ଦିଲ୍ଲୀ ବୋଲରଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, କ୍ରିସ୍‌ ମୋରିସ, ଡାନିଏଲ ଖ୍ରିଷ୍ଟିଆନ ଓ ରାହୁଲ ଟଓ୍ବୋଟିଆ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଡେୟାରଡେଭିଲ୍ସ ଅଧିନାୟକ ଗୌତମ ଗମ୍ଭୀର(୫୫ ରନ, ୪୨ ବଲ, ୫ ଚୌକା, ୧ ଛକା)ଙ୍କ ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୭ ଉଇକେଟ ହରାଇ ୧୬୬ ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ରିଷଭ ପନ୍ତ ଦ୍ରୁତ ୨୮(୧୩ ବଲ, ୪ ଚୌକା, ୧ ଛକା) ଓ କ୍ରିସ୍‌ ମୋରିସ ୨୭*(୧୬ ବଲ, ୧ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ପଞ୍ଜାବ ପକ୍ଷରୁ ମୋହିତ ଶର୍ମା ଓ ମୁଜିବ ଉର୍‌ ରହମାନ ୨ଟି ଲେଖାଏ ଏବଂ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଶନିବାର ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୧ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୬୬ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଚେନ୍ନାଇ ୧୯.୫ ଓଭରରେ ୯ ଉଇକେଟ ହରାଇ ୧୬୯ ରନ ସଂଗ୍ରହ ସହ ରୋମାଞ୍ଚକ ବିଜୟ ହାସଲ କରିଥିଲା। ୩୦ ବଲ୍‌ରୁ ୬୮(୩ ଚୌକା, ୭ ଛକା) ରନ କରି ମୁମ୍ବାଇ ହାତରୁ ମ୍ୟାଚ ଛଡ଼ାଇ ଆଣିଥିବା ଚେନ୍ନାଇର ଡ୍ବେନ ବ୍ରାଭୋ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ଦିଲ୍ଲୀ ଡେୟାରଡେଭିଲ୍ସ ୨୦ ଓଭରରେ ୧୬୬/୭(ଗମ୍ଭୀର-୫୫, ପନ୍ତ-୨୮, ମୋରିସ-୨୭*, ମୋହିତ-୨/୩୩, ରହମନ-୨/୨୮, ଅଶ୍ୱିନ-୧/୨୩, ଅକ୍ଷର-୧/୩୫)। କିଙ୍ଗ୍ସ ଇଲେଭେନ ପଞ୍ଜାବ ୧୮.୫ ଓଭରରେ ୧୬୭/୪(ଲୋକେଶ-୫୧, କରୁଣ-୫୦, ମିଲର-୨୪*, ଷ୍ଟୋଇନ୍ସ-୨୨*, ବୋଲ୍ଟ-୧/୩୪, ଡାନିଏଲ-୧/୧୨, ମୋରିସ-୧/୨୫, ଟଓ୍ବୋଟିଆ-୧/୨୪)।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.