ରାଜ୍ୟଶିକ୍ଷା

ସ୍କୁଲ ରେ କଲେ ରୋଷେଇ ବଗିଚା

ଆଓରି-ବ୍ରହ୍ମପୁର(୧୮/୦୭): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖମାରି ଗାଁ ପଞ୍ଚାୟତର ନରେନ୍ଦ୍ରବାଲି | ଏହି କୁନି ଗାଁରେ ଥିବା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଭଳି କିଛି କରିଛନ୍ତି ଯାହାକି ସତରେ ନିଆରା | ନିଜ ହାତରେ ବିଦ୍ୟାଳୟ ପଛରେ ରୋଷେଇ ବଗିଚା ବା କିଚେନ ଗାର୍ଡେନଟିଏ ପ୍ରସ୍ତୁତ କରିଛନ୍ତି | ଯେଉଁ ବୟସରେ ଖେଳକୁଦ କରି ସମୟ କାଟିବା କଥା ସେହି ବୟସରେ ବିଦ୍ୟାଳୟ ହତାରେ ଗଛ ଲଗାଇ ସେ ସବୁର ଯତ୍ନ ନେଉଛନ୍ତି | ଯିଏ ଯେଉଁ ଗଛ ଲଗାଇଛନ୍ତି ସେହି ଗଛରେ ସେମାନଙ୍କ ନାମ ବି ଲେଖାଯାଇଛି | ସ୍କୁଲ କର୍ତୃପକ୍ଷ ବି ଛାତ୍ରଛାତ୍ରୀଙ୍କ ଏହି ପ୍ରୟାସକୁ ବୃଥା ହେବାକୁ ଦେଇନାହାଁନ୍ତି |

ପିଲାମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନରେ ଏସବୁ ଗଛରୁ ଉତ୍ପାଦିତ ପରିବା ବ୍ୟବହାର କରାଯାଉଛି | ଆଜିକାଲି ପରିବାରେ କୀଟନାଶକର ବହୁଳ ବ୍ୟବହାର ହେଉଥିବା ବେଳେ ଏଠାରେ କିନ୍ତୁ ଛାତ୍ରଛାତ୍ରୀ ଗୋବର ଖତ, ଜୈବିକ ସାରର ବ୍ୟବହାର କରୁଛନ୍ତି | ଅମୃତଭଣ୍ଡା, କାଗେଜୀ ଲେମ୍ବୁ, ମୂଳା, କଦଳୀ ଭଳି ବାଡ଼ି ପନିପରିବା ଲଗାଇବା ସହ ସୁଷମ ଖାଦ୍ୟ ଖାଉଛନ୍ତି ଛାତ୍ରଛାତ୍ରୀ | ବଡ କଥା ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏଁ ଶିକ୍ଷାଦାନର ବ୍ୟବସ୍ଥା ଥିବାବେଳେ ୧୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି | ଏହି ପିଲାମାନେ ପାଠ ପଢିବା ସହ ନିଜ ବଗିଚାକୁ ଦେଖାଶୁଣା କରୁଛନ୍ତି | ବିଶେଷ କରି ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ବିଦ୍ୟାଳୟ ପରିସରରେ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରୁଥିବେଳେ ଆଦିବାସୀ ଅଧ୍ୟୁଷିତ ଏହି ଛୋଟ ସ୍କୁଲରେ ଏକ ସୁନ୍ଦର ପରିକଳ୍ପନା ବାସ୍ତବିକ କାର୍ଯ୍ୟକାରୀ ହୋଇପାରିଛି | ଏହାକୁ ନେଇ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ସନାତନ ପଣ୍ଡା କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ ସହ କିଭଳି ପୋଷଣଯୁକ୍ତ ପରିବା ଉତ୍ପାଦନ କରିହେବ ତାହା ବିଷୟରେ ବୁଝାଯାଇଥିଲା | ଏହାକୁ ଛୋଟ ପିଲାମାନେ କାର୍ଯ୍ୟକାରୀ କରାଇଥିବାରୁ ସେମାନଙ୍କ ଅଭିଭାବକମାନେ ବି ଢେର ଖୁସି |

Related Articles

Leave a Reply

Your email address will not be published. Required fields are marked *

Back to top button