May 28, 2023

କିଟ୍ ବିରୋଧରେ ଆଉ ଏକ ଜମି କେଳେଙ୍କାରୀ ଅଭିଯୋଗ

1 min read

ଆ.ଓ.ରି(ତା୧୯|୫)-ସୁଦୃଶ୍ୟ କୋଠା। ରାସ୍ତା କଡ଼ରେ ଛିଡ଼ା ହେଉଛି ଆଖିଦୃଶିଆ ୯ ମହଲା ଅଟ୍ଟାଳିକା। ହେଲେ ଅଭିଯୋଗ ହେଉଛି, ଏହି କୋଠା ନିଜ ଜମିରେ ନୁହେଁ। ବରଂ ପଟିଆ ନୂଆଁବନ୍ତ ଗାଁର ଚନ୍ଦ୍ରଧ୍ୱଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ମୁଣ୍ଡ ଟେକୁଛି କିଟ୍‌ର ଏହି କୋଠା। ସାଂସଦ ତଥା କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗ ଆଣି ଚନ୍ଦ୍ରଧ୍ୱଜ କହିଛନ୍ତି ତାଙ୍କ ଜମିକୁ ବଳପୂର୍ବକ କବ୍‌ଜା କରି କିଟ୍ କର୍ତ୍ତୃପକ୍ଷ ଏହି କୋଠା ନିର୍ମାଣ କରୁଛନ୍ତି।ତାଙ୍କ ନାଁରେ ଜାଗାର ସମସ୍ତ କାଗଜପତ୍ର ଓ ପଟ୍ଟା ରହିବା ସହ ସେ ପ୍ରତିବର୍ଷ ଏହି ଜମିର ଖଜଣା ପୈଠ କରୁଛନ୍ତି।

କିନ୍ତୁ ସେହି ଜାଗାରେ କିଟ୍ କର୍ତ୍ତୃପକ୍ଷ ଏହି ବିରାଟ୍ କୋଠା ନିର୍ମାଣ କରୁଥିବା ଅଭିଯୋଗ ଆଣିଛନ୍ତି ଚନ୍ଦ୍ରଧ୍ୱଜ। ଏଥିସହ ଚନ୍ଦ୍ରଧ୍ୱଜ ଆଜି ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାମକୁ ବିରୋଧ କରିଥିବାବେଳେ ପୋଲିସ ପହଞ୍ଚି ନିର୍ମାଣ କାମକୁ ବନ୍ଦ କରିଛି। କିଟ୍‌ର ଏଭଳି ଜବରଦଖଲ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଚନ୍ଦ୍ରଧ୍ୱଜ ସାହୁ। ଏହାପରେ ୨୦୦୮, ନଭେମ୍ବର ୧୨ରେ ଉଚ୍ଚନ୍ୟାୟାଳୟ ବେଦଖଲ ନକରିବା ପାଇଁ ତାଙ୍କ ସପକ୍ଷରେ ରାୟ ଦେଇଥିଲେ।ଏପରିକି ମଳୟ କୁମାର ସ୍ୱାଇଁ ନାମକ ଜଣେ ଇଡ଼କୋର ଅଧିକାରୀ ମଧ୍ୟ ଏହି ଜମି ତାଙ୍କୁ ଇଡକୋ ପକ୍ଷରୁ ମିଳିଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର ପାଇଁ ହାଇକୋର୍ଟକୁ ପଠାଇଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାପଚୁପ ହେବା ପରେ ଚନ୍ଦ୍ରଧ୍ୱଜ ଫେରିପାଇଥିଲେ ୧ ଏକର ୭୦ ଡିସିମିଲର ପୈତୃକ ଜମି। ତେବେ ଏହି ଜମି ଉପରେ କିଟ କର୍ତ୍ତୃପକ୍ଷ ପାଚେରି ଭାଙ୍ଗି ବେଆଇନ ଭାବେ ଏହି ୯ ମହଲା କୋଠା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।

ତେବେ ଏହି ଅଭିଯୋଗ ଉପରେ କିଟ୍ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବାବେଳେ ଏବେ ଅପେକ୍ଷା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଏବଂ କିଟ୍ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.