ଜିଲ୍ଲାରାଜନୀତି

କେଜ୍ରିଓ୍ଵାଲଙ୍କୁୁ ପୁଣି ଏକ ଧକ୍କା

ନୂଆଦିଲ୍ଲୀ :
ଉପରାଜ୍ୟପାଳ ଦିଲ୍ଲୀର ପ୍ରଶାସନିକ ମୁଖ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଉପରେ ରହିତାଦେଶ ଦେବାକୁ ଆପ୍‌ ସରକାରଙ୍କ ଆବେଦନକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଛି। ଫଳରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଆଉ ଏକ ଧକ୍କା ଲାଗିଛି। ତେବେ ଏହି ମାମଲାରେ ଆପ୍‌ ସରକାରଙ୍କ ପକ୍ଷରୁ ଆଗତ ୬ଟି ଆବେଦନର ଉତ୍ତର ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଉପରାଜ୍ୟପାଳ ନଜିବ ଜଙ୍ଗ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଦେଇଛି।
ଦିଲ୍ଲୀ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ଉପରାଜ୍ୟପାଳ ନଜିବ ଜଙ୍ଗଙ୍କ ମଧ୍ୟରେ ଦୀର୍ଘ କ୍ଷମତା କନ୍ଦଳ ଲାଗି ରହିବା ପରେ ଜଙ୍ଗ ଆପ୍‌ ସରକାରଙ୍କ ସମସ୍ତ ନିଷ୍ପତ୍ତିର ସମୀକ୍ଷା ପାଇଁ କମିଟି ଗଠନ କରିଥିଲେ। ଏହା ବିରୋଧରେ ଆପ୍‌ ସରକାର ହାଇକୋର୍ଟର ଆଶ୍ରୟ ନେଇଥିଲେ। ହାଇକୋର୍ଟ ଏହାର ଶୁଣାଣି କରି ଅଗଷ୍ଟ ୪ରେ ଉପରାଜ୍ୟପାଳ ଦିଲ୍ଲୀର ପ୍ରଶାସନିକ ମୁଖ୍ୟ, ମୁଖ୍ୟମନ୍ତ୍ରୀ ନୁହନ୍ତି  ବୋଲି ରାୟ ଦେବା ସହ ସମସ୍ତ ପ୍ରଶାସନିକ ନିଷ୍ପତ୍ତିରେ ଉପରାଜ୍ୟପାଳଙ୍କ ଅନୁମୋଦନ ନିଆଯିବା ବାଧ୍ୟତାମୂଳକ ବୋଲି କହିଥିଲେ। ଦିଲ୍ଲୀ ସରକାର ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରି ପ୍ରାୟ ୪୦୦ ପ୍ରଶାସନିକ ନିଷ୍ପତ୍ତିର ଯାଞ୍ଚ ଉପରେ ରୋକ୍‌ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ଆବେଦନ କରିଥିଲା। ବିଚାରପତି ଏକେ ସିକ୍ରିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହାର ଶୁଣାଣି କରି ପ୍ରଶାସନିକ ନିଷ୍ପତ୍ତି ଯାଞ୍ଚ ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି। ସଂସଦୀୟ ସଚିବ ଭାବେ ୨୧ ବିଧାୟକଙ୍କ ନିଯୁକ୍ତିକୁ ଗତକାଲି ହାଇକୋର୍ଟ ରଦ୍ଦ କରି କେଜ୍ରିଓ୍ଵାଲଙ୍କୁ ବଡ଼ ଧକ୍କା ଦେଇଥିବାବେଳେ ଆଜିର ସୁପ୍ରିମ କୋର୍ଟ ନିଷ୍ପତ୍ତି କେଜ୍ରିଓ୍ଵାଲଙ୍କ ପାଇଁ ଦ୍ୱିତୀୟ ଧକ୍କା ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button