ରାଜନୀତି

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ପାର୍ଟିକୁ ମିଳୁ ନାହିଁ ବହୁମତ: ଓପିନିୟନ ପୋଲ୍

ଆ.ଓ.ରି(ତା୮|୫)-

କର୍ଣ୍ଣାଟକ ନିର୍ବାଚନ ରଣଭୂମୀରେ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ। ବିଧାନସଭା ନିର୍ବାଚନକୁ ନେଇ ବଢି ଚାଲିଛି ରାଜନୈତିକ ଉଷ୍ମତା। ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ। ବାଜି କିଏ ଜିତିବ ତାକୁ ନେଇ ଏ ପର୍ୟ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ମାତ୍ର ଓପିନିୟନ ପୋଲ ମୁତାବକ କୌଣସି ପାର୍ଟିକୁ ବହୁମତ ମିଳୁ ନାହିଁ। ଲୋକନୀତି-ସିଏସଡିଏସ ଓ ଏବିପି ନ୍ୟୁଜର ସର୍ଭେ ମୁତାବକ କର୍ଣ୍ଣାଟକରେ କ୍ଷମତାସୀନ କଂଗ୍ରେସ ଦଳ ବଡ଼ ପାର୍ଟି ଭାବେ ଉଭା ହେଉଛି।

ସର୍ଭେରେ ବିଜେପି ପାଇଁ ରହିଛି ଆଶ୍ଵସ୍ତିକର ଖବର।  କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସିଦ୍ଧରମୈୟାଙ୍କ ମାଷ୍ଟର ଷ୍ଟ୍ରୋକ ପ୍ରଭାବହୀନ ରହିଛି ଏବଂ ଲିଙ୍ଗାୟତ ଭୋଟ୍ ଭାରତୀୟ ଜନତା ପାର୍ଟି ଖାତାକୁ ଯାଉଥିବା ଦେଖାଯାଉଛି।  ପୋଲ ମୁତାବକ କଂଗ୍ରେସ ପାର୍ଟିକୁ ୯୭ ସିଟ୍,  ବିଜେପିକୁ ୮୪, ଜେଡିଏସକୁ ୩୭ ଏବଂ ଅନ୍ୟ ଦଳକୁ ୪ଟି ସିଟ୍ ମିଳିବାର ସମ୍ଭାବନା ରହିଛି। ସର୍ଭେରେ ସାମିଲ ଲୋକଙ୍କ ମୁତାବକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଭଲ କାମ କରିଛନ୍ତି ଏବଂ ବିଜେପି ସବୁଠୁ ଭ୍ରଷ୍ଟ ପାର୍ଟି।

ଏବିପି ନ୍ୟୁଜର ସର୍ଭେ ମୁତାବକ ୩୮ ପ୍ରତିଶତ ଭୋଟ୍ ସହିତ କଂଗ୍ରେସକୁ ୯୨ ରୁ ୧୦୨ଟି ସିଟ୍ ମିଳିପାରେ। ଏହି ପରି ବିଜେପି ୩୩ ପ୍ରତିଶତ ଭୋଟ୍ ସହିତ ୭୯ ରୁ ୮୯ ସିଟ୍ ଜିତିପାରେ। ସର୍ଭେ ଅନୁସାରେ ଜେଡିଏସ ଏଥର କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହୋଇପାରେ। ଜେଡିଏସ ୨୨ ପ୍ରତିଶତ ଭୋଟ୍ ସହିତ ୩୨ ରୁ ୪୨ ସିଟ୍ ଜିତିବାର ସମ୍ଭାବନା ରହିଛି।  ଏହି ପ୍ରକାର କର୍ଣ୍ଣାଟକରେ ଆଗାମୀ ସରକାର ଗଠନରେ ଜେଡିଏସର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ହେବାକୁ ଯାଉଛି।

କିଙ୍ଗ ମେକର ଭୂମିକାରେ ଜେଡିଏସ

ଏହି ପରି ଭୋଟ୍ ପ୍ରତିଶତରେ ମଧ୍ୟ କଂଗ୍ରେସ ବିଜେପିଠୁ ଆଗରେ ରହିଛି। କର୍ଣ୍ଣାଟକ ବିଧାନସଭା ସିଟ୍ ସଂଖ୍ୟା ହେଉଛି ୨୨୪। କୌଣସି ପାର୍ଟିକୁ ସରକାର ଗଠନ କରିବାକୁ ହେଲେ ୧୧୩ ସିଟ୍ ବହୁମତ ହାସଲ କରିବାକୁ ପଡ଼ିବ। ଯଦି ବିଜେପି ୮୪ ଏବଂ ଜେଡିଏସର ୩୭ ସିଟ୍ ମିଶାଇ ଦିଆଯାଏ ତେବେ ରାଜ୍ୟରେ ବିଜେପି ସରକାର ଗଠନ କରି ପାରିବ।  ଏହି ପରି ଯଦି  କଂଗ୍ରେସର ୯୭ ସିଟ୍ ଓ ଜେଡିଏସର ୩୭ ସିଟ୍ ଯୋଡି ଦିଆଯାଏ ତେବେ କଂଗ୍ରେସ କ୍ଷମତାକୁ ଫେରି ପାରିବ।

୬୮ ପ୍ରତିଶତ ଲୋକ ପିଏମ ମୋଦୀଙ୍କ କାମରେ ଖୁସ୍

ସର୍ଭେରେ ସାମିଲ ୨୩ ପ୍ରତିଶତ ଲୋକ ପିଏମ ମୋଦୀଙ୍କ କାମ ବହୁତ ଭଲ ବୋଲି କହିଥିବା ବେଳେ ୪୫ ପ୍ରତିଶତ ଲୋକ  ଭଲ ବୋଲି କହିଛନ୍ତି। ଏହି ପରି ଭାବେ ପିଏମ ମୋଦୀଙ୍କ କାର୍ୟ୍ୟକୁ  ପ୍ରାୟ ୬୮ ପ୍ରତିଶତ ଲୋକ ଭଲ କହିଛନ୍ତି।  ଅନ୍ୟ ପଟେ ୭୨ ପ୍ରତିଶତ ଲୋକ ସିଦ୍ଧରମୈୟାଙ୍କ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି।  ପୋଲରେ ୪୪ ପ୍ରତିଶତ ଲୋକଙ୍କ କହିବା କଥା ବିଜେପି ଏକ ଭ୍ରଷ୍ଟ ପାର୍ଟି। ଏହି ପରି କଂଗ୍ରେସକୁ ୪୧ ପ୍ରତିଶତ ଓ ଜେଡିଏସକୁ ୪ ପ୍ରତିଶତ ଲୋକ ଭ୍ରଷ୍ଟ ପାର୍ଟିର ଆଖ୍ୟା ଦେଇଛନ୍ତି।

ସିଦ୍ଧରମୈୟାଙ୍କ ଲିଙ୍ଗାୟତ କାର୍ଡ ପ୍ରଭାବହୀନ

ରାଜ୍ୟରେ ନିର୍ବାଚନର ଠିକ୍ ପୂର୍ବରୁ ସିଦ୍ଧରମୈୟା ସରକାର ଖେଳିଥିବା ଲିଙ୍ଗାୟତ କାର୍ଡର କୌଣସି ପ୍ରଭାବ ଦେଖାଯାଉ ନାହିଁ। ସର୍ଭେରୁ ଜଣା ପଡିଛି ଯେ ୬୧ ପ୍ରତିଶତ ଲୋକ ଲିଙ୍ଗାୟତ ଭୋଟର ବିଜେପି ସହିତ ଅଛନ୍ତି ଏବଂ ୧୮ ପ୍ରତିଶତ କଂଗ୍ରେସ ସମର୍ଥନରେ ଅଛନ୍ତି। ଜେଡିଏସକୁ ୧୧ ପ୍ରତିଶତ ଲିଙ୍ଗାୟତ ଭୋଟରଙ୍କ ସମର୍ଥନ ରହିଛି। ଉଲ୍ଲେଖଯୋଗ୍ୟ କର୍ଣ୍ଣାଟକରେ ମେ ୧୨ରେ ମତଦାନ ହେବାକୁ  ଥିବା ବେଳେ ମେ ୧୫ରେ ଫଳାଫଳ ପ୍ରକାଶ ପାଇବ।

Related Articles

Leave a Reply

Your email address will not be published. Required fields are marked *

Back to top button