ବିଜେଡ଼ି ଛାଡିବେ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ
1 min read
ଆଓରି-ଭୁବନେଶ୍ଵର(୨୦/୦୩) : ବିଜେଡିରୁ ଇସ୍ତଫା ଦେବେ ଅସନ୍ତୁଷ୍ଟ ଅର୍କ । କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ଆସନ୍ତା ନିର୍ବାଚନ ପାଇଁ ଟିକେଟ ନପାଇବାରୁ ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ଏନେଇ ସେ ଇସ୍ତଫା ପତ୍ର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ।
କିଛି ସମୟ ପୂର୍ବରୁ ଟିକେଟ୍ ନମିଳିବା ନେଇ ଅସନ୍ତୋଷ ଜାହିର କରୁଥିଲେ ଅର୍କକେଶରୀ । ଶେଷରେ ବିଜେଡିରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଗଲେ ଅର୍କ । ଗୋଟିଏ ପରେ ଗୋଟିଏ ନେତା ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ୁଛନ୍ତି । କେବଳ ସେତିକି ନୁହଁ ଟିକେଟ ବଣ୍ଟାକୁ ନେଇ ବିଜେଡିରେ ଅସନ୍ତୋଷ ଉଗ୍ର ରୂପ ଧାରଣ କଲାଣି ।
ଦଳର ଟାଣୁଆ ନେତାଙ୍କୁ ଟିକେଟ ନମିଳିବାରୁ ସେମାନେ ଏବେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ସାଂସଦ ଅର୍କକେଶରୀ ଦେଓଙ୍କୁ ଆସନ୍ତା ନିର୍ବାଚନରେ ଲଢେଇ ପାଇଁ ଦଳ ପକ୍ଷରୁ ଟିକେଟ ନଦିଆଯିବାରୁ ସେ ଅସନ୍ତୋଷ ପ୍ରକାଶ କରୁଥିଲେ । କିଛି ସମୟ ପୂର୍ବରୁ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ନବୀନ ନିବାସ ଡକାଇ ଆଲୋଚନା କରାଯାଇଥିଲା । କିନ୍ତୁ ତାଙ୍କୁ ଟିକେଟ ନଦେଇ ଅନ୍ୟ ଜଣକୁ ଟିକେଟ ଦେଲେ । ଯେତେବେଳେ ଟିକେଟ ପାଇଁ ଯାଇଥିଲୁ ସେତେବେଳେ ମଧ୍ୟ ଏହା ସ୍ପଷ୍ଟ କରିପାରିଥାନ୍ତେ ନବୀନ ପଟ୍ଟନାୟକ ବୋଲି କହିଥିଲେ ଅର୍କ । ତେବେ ଆସନ୍ତା ନିର୍ବାଚନରେ କଳାହାଣ୍ଡି ଳୋକସଭାରୁ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଟିକେଟ୍ ଦେଇଛି ବିଜେଡି ।