ରାଜ୍ୟ

ଉଡ଼ାଣ ପାଇଁ ପ୍ରସ୍ତୁତ ଝାରସୁଗୁଡ଼ା ବିମାନବନ୍ଦର ; ୨୨ ତାରିଖରେ ପ୍ରଧାନମନ୍ତ୍ରୀ କରିବେ ସୁଭୋଦଘାଟନ

ଆଓରି-ଭୁବନେଶ୍ଵର(୭/୯) : ଝାରସୁଗୁଡ଼ା ବିମାନବନ୍ଦରକୁ ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଚିବାଳୟରେ ବିମାନବନ୍ଦର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ଓ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ୨୦୧୪ ମସିହାରେ ହୋଇଥିବା ବୁଝାମଣାପତ୍ର ଅନୁସାରେ ଝାରସୁଗୁଡ଼ା ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ଭିତ୍ତିଭୂମି ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି ବୋଲି ବୈଠକରେ କୁହାଯାଇଥିଲା।

ଭିତ୍ତିଭୂମିମୂଳକ ସୁବିଧା ସୁଯୋଗ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଶ୍ଚିତ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଉଡ଼ାଣ ଆରମ୍ଭ ପାଇଁ ଝାରସୁଗୁଡ଼ା ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ହୋଇଛି। ଏଥି ପାଇଁ ରାଜ୍ୟ ସରକାର ୧୧୮.୭୫ ଏକର ଜମି ବିନା ମୂଲ୍ୟରେ ଯୋଗାଇ ଦେଇଛନ୍ତି। ଭିତ୍ତିଭୂମି ନିର୍ମାଣ ପାଇଁ କରାଯାଇଥିବା ୨୧୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ମଧ୍ୟରୁ ଓଡ଼ିଶା ସରକାର ନିଜ ଅଂଶଧନ ଭାବେ ୭୫ କୋଟି ଟଙ୍କା ଦେଇଛନ୍ତି। ଏହା ଛଡ଼ା ରାଜ୍ୟ ସରକାର ବିମାନ ବନ୍ଦରର ସୁରକ୍ଷା ଓ ଉଡ଼ାଣ ସହାୟତା ପାଇଁ ୫୨ ଜଣ ପୁଲିସ୍‌ ଓ ଅଗ୍ନିଶମ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ବିମାନ ବନ୍ଦରରେ ବିଦ୍ୟୁତ ଓ ଜଳଯୋଗାଣ ରାଜ୍ୟ ସରକାରଙ୍କ ତରଫରୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି। ସମଗ୍ର ବିମାନ ବନ୍ଦର ଅଞ୍ଚଳ, ଷ୍ଟାଫ୍‌ କଲୋନି ଓ ଆନୁଷଙ୍ଗିକ ନିର୍ମାଣ ସ୍ଥାନ ଉପରୁ ମଧ୍ୟ ଓଡ଼ିଶା ସରକାର ସମ୍ପତ୍ତି କର ଓ ପୌରାଞ୍ଚଳ କର ଛାଡ଼ କରିଛନ୍ତି। ଏହି ବିମାନ ବନ୍ଦରରୁ ଭୁବନେଶ୍ୱର ଓ ରାଞ୍ଚିକୁ ବିମାନ ଯୋଗାଯୋଗ ହେବ। ଏଥି ପାଇଁ ସପ୍ତାହକ ମଧ୍ୟରେ ପରୀକ୍ଷାମୂଳକ ଉଡ଼ାଣ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ସୂଚନାଯୋଗ୍ୟ ଯେ ଉଡ଼ାଣ ସେବାରେ ଯାତ୍ରୀଙ୍କ ନିମନ୍ତେ ଟିକେଟ୍‌ ମୂଲ୍ୟ ସବ୍‌ସିଡି ବାବଦରେ ରାଜ୍ୟ ସରକାର ନିଜର ଅଂଶଧନ ମଧ୍ୟ ମଞ୍ଜୁର କରିଛନ୍ତି। ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଇଡ୍‌କୋ ସିଏମ୍‌ଡିଚ ସଞ୍ଜୟ ସିଂହ, ସିଆଇଡି ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍‌ କେ ଉପାଧ୍ୟାୟ ଓ ରାଜ୍ୟ ବେସାମରିକ ଉଡ଼ାଣ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ପଣ୍ଡାଙ୍କ ସମେତ ବେସାମରିକ ଉଡ଼ାଣ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button