April 19, 2024

ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲାନି ମହଲତ: ଜଗମୋହନ ୧୬ ସୁଦ୍ଧା ଖୋଲିବ

1 min read

ଆ.ଓ.ରି(ତା୧୧|୪)- ଶ୍ରୀମନ୍ଦିର ଜଗମୋହନ ଏପ୍ରିଲ ୧୬ ସୁଦ୍ଧା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗର୍ଭଗୃହ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଛନ୍ତି ହାଇକୋର୍ଟ। ଗର୍ଭଗୃହ ମଧ୍ୟକୁ କେଉଁମାନେ ପ୍ରବେଶ କରିପାରିବେ ଉକ୍ତ ପ୍ରସଙ୍ଗ ଉପରେ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେବାପୂଜା ସହିତ ଜଡ଼ିତ ସେବାୟତମାନେ ହିଁ କେବଳ ଗର୍ଭଗୃହ ଭିତରକୁ ଯାଇପାରିବେ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।
ଜଗମୋହନ ପ୍ରସଙ୍ଗରେ ପୂର୍ବ ନିର୍ଦ୍ଦେଶ ମୁତାବକ ଜଗନ୍ନାଥ ମନ୍ଦିରର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସଙ୍କ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠରେ ଅଗଷ୍ଟ ୧ ପର୍ଯ୍ୟନ୍ତ ଜଗମୋହନ ଖୋଲିବା ନିମନ୍ତେ ମହଲତ ପ୍ରଦାନ କରିବାକୁ ଦର୍ଶାଯାଇଥିଲା। ହାଇକୋର୍ଟ ବିରକ୍ତି ପ୍ରକାଶ କରିବା ସହ ଉକ୍ତ ମହଲତକୁ ଅଗ୍ରାହ୍ୟ କରିଦେଇଥିଲେ। ଏହାଛଡ଼ା ଅପରାହ୍ନରେ ପୁନର୍ବାର ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେବା ସହ ନୀତି ପ୍ରଶାସକଙ୍କୁ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ନୀତି ପ୍ରଶାସକ ଦାସ ଦ୍ୱିତୀୟାର୍ଦ୍ଧ ଶୁଣାଣିରେ ହାଜର ହୋଇଥିଲେ। ଆଡ୍‌ଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର ମଧ୍ୟ ଅଦାଲତରେ ଉପସ୍ଥିତ ଥିଲେ। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗମୋହନ ଖୋଲିବା ନେଇ ମହଲତ ପ୍ରଦାନ ନ କରି ଉପରୋକ୍ତ ଆଦେଶ ଦେଇଥିଲେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ଧାର୍ଯ୍ୟ କରିବା ସହ ଉକ୍ତଦିନ ଆଦେଶ ପାଳନ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ଶୁଣାଣି ବେଳେ ନୀତି ପ୍ରଶାସକ ଦାସ ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ ଯେ, ଜଗମୋହନ ମରାମତି ସମ୍ପର୍କରେ ୨୦୧୬ ଜାନୁୟାରୀ ୧୩ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭା କକ୍ଷରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଜଗମୋହନ ମରାମତି ଓ ସଂରକ୍ଷଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ପରିମାଣିକ ଓ ସାହାଣ ମେଲା ଦର୍ଶନ ବନ୍ଦ ରହିବ। ନିରାପତ୍ତା ଦୃଷ୍ଟିରୁ ସମସ୍ତ ଶ୍ରଦ୍ଧାଳୁ ନାଟମଣ୍ଡପ ବାହାର କାଠ ନିକଟରୁ ଦର୍ଶନ କରିବେ। ସେହିପରି ଜଗମୋହନ ମଧ୍ୟରେ ଥିବା ରତ୍ନଭଣ୍ଡାର ନିରୀକ୍ଷଣ ପାଇଁ ମଧ୍ୟ ଗତ ୨୦ ତାରିଖରେ ସ୍ଥିର ହୋଇଥିଲା। ଏଥିସହିତ ଜୟବିଜୟ ଦ୍ୱାର ଦେଇ ବର୍ତ୍ତମାନ ଭକ୍ତଙ୍କୁ ଜଗମୋହନ ଭିତରକୁ ଯିବା ପାଇଁ ଅନୁମତି ପ୍ରଦାନ କରିବା ବିପଦପୂର୍ଣ୍ଣ।
ଅନ୍ୟପକ୍ଷରେ ନାଟମଣ୍ଡପ ମରାମତି ଆରମ୍ଭ ହେଲେ ତାହା ସମ୍ପୂର୍ଣ୍ଣ ହେବା ପାଇଁ ପ୍ରାୟ ୯୦ ଦିନ ସମୟ ଲାଗିପାରେ ବୋଲି ଏଏସ୍‌ଆଇ ୨୦୧୮ ମାର୍ଚ୍ଚ ୫ରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଥିଲା। ଚଳିତବର୍ଷ ରଥଯାତ୍ରା ସମ୍ପର୍କିତ ନୀତି ଏପ୍ରିଲ ୧୮ ଅକ୍ଷୟତୃତୀୟା ଦିନରୁ ଆରମ୍ଭ ହେଉଥିଲାବେଳେ ଏଏସ୍‌ଆଇକୁ ନାଟମଣ୍ଡପ ମରାମତି ପାଇଁ ନିରୂପିତ ସ୍ଥାନ ପ୍ରଦାନ କରିବା ଏବେ ସମ୍ଭବ ନୁହେଁ। ତେଣୁ ରଥ ଅନୁକୂଳ, ଚନ୍ଦନଯାତ୍ରା, ସ୍ନାନପୂର୍ଣ୍ଣିମା, ନେତ୍ରୋତ୍ସବ, ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରିବିଜେ ଯାତ୍ରା ସମୟରେ ଜଗମୋହନକୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବା ସମ୍ଭବ ହେଉନି। ଅନ୍ୟପକ୍ଷରେ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ସାଧାରଣ ଭକ୍ତ ଓ ଭିଆଇପିଙ୍କୁ ଭିତରକାଠ ପର୍ଯ୍ୟନ୍ତ ଯିବା ଲାଗି ଅନୁମତି ପ୍ରଦାନ ନିମନ୍ତେ ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ ବିମଳ ପ୍ରସାଦ ଦାସ କମିଶନ ୨୦୧୭ ଏପ୍ରିଲ ୨୦ରେ ଅନ୍ତରୀଣ ରିପୋର୍ଟରେ ପରାମର୍ଶ ଦେଇଥିଲେ। ଗର୍ଭଗୃହ ଭିତରକୁ କେବଳ ସେବା ପୂଜା ସହିତ ଜଡ଼ିତ ସେବକମାନେ ହିଁ ଯିବାକୁ ଅନୁମତି ଦିଆଯାଉ। ପରମାଣିକ ଦର୍ଶନ ଓ ସାହାଣ ମେଳା ସମୟରେ ଭିତରକୁ ଯିବା ପାଇଁ କାହାକୁ ଅନୁମତି ନ ଦିଆଯାଉ ବୋଲି କମିଶନ ତାଙ୍କ ଅନ୍ତରୀଣ ରିପୋର୍ଟରେ ସୁପାରିସ କରିଥିଲେ। କମିଶନଙ୍କ ଏପରି ପରାମର୍ଶକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ବୋଲି ଦାଖଲ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ଜଗମୋହନ ମରାମତି ପ୍ରସଙ୍ଗରେ ଅଭିଷେକ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ମାମଲା ପରିଚାଳନା କରୁଥିଲାବେଳେ ତାଙ୍କୁ ତ୍ରିଲୋଚନ ଦାସ, ଅନୁପ କୁମାର ମହାପାତ୍ର ଓ ବିନ୍ଦୁସାଗର ସୁବୁଦ୍ଧି ସହାୟତା କରୁଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.