କାର୍ଟୋସାଟ୍-୩ର ସଫଳ ଉତ୍କ୍ଷେପଣ କଲା ଇସ୍ରୋ
1 min read
ଆଓରି-ନୂଆଦିଲ୍ଲୀ(୨୭/୧୧) : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୁଣି ରଚିଲା ଇତିହାସ । ଏୟାର ଷ୍ଟ୍ରାଇକ ଏବଂ ସର୍ଜିକାଲ ଷ୍ଟ୍ରାଇକ ପାଇଁ ପୁଣି ରାସ୍ତା ହେଲା ପ୍ରଶସ୍ତ । ଆଜି ସକାଳେ ୯.୨୮ରେ ସାଟେଲାଇଟ କାର୍ଟୋସାଟ୍-୩ର ସଫଳ ଉତ୍କ୍ଷେପଣ କରିଛି ଇସ୍ରୋ । ଏହାଦ୍ୱାରା ଭାରତୀୟ ସେନା ଏବେ ପାକିସ୍ତାନ ହରକତ ଉପରେ ତୀକ୍ଷ୍ଣ ନଜର ରଖିପାରିବ । ଆବଶ୍ୟକ ପଡ଼ିଲେ ଏହି ସାଟେଲାଇଟ୍ ମାଧ୍ୟମରେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ କରିପାରିବ ଭାରତୀୟ ସେନା ।
ପିଏସ୍ଏଲଭି-ସି୪୭ କାର୍ଟୋସାଟ୍-୩ ଏବଂ ୧୩ ଆମେରିକୀୟ ସାଟେଲାଇଟ୍କୁ ସଫଳତା ପୂର୍ବକ ଉତ୍କ୍ଷେପଣ କରିବାରେ ସଫଳ ହୋଇଛି ବୋଲି କହିଛନ୍ତି ଇସ୍ରୋ ଚିଫ୍ କେ ଶିବନ୍ । ଏହା ଦୁନିଆର ସବୁଠୁ ଅଧିକ ଆର୍ଥ ଅବଜରଭେସନ୍ ସାଟେଲାଇଟ୍ । ଏହାସହ ମାର୍ଚ୍ଚ ସୁଦ୍ଧା ଆହୁରି ୧୩ଟି ଉପଗ୍ରହ ଉତ୍କ୍ଷେପଣ କରିବାର ଯୋଜନା ଅଛି ବୋଲି କହିଛନ୍ତି କେ ଶିବନ୍ ।
ଇସ୍ରୋ ଏହି କାର୍ଟୋସାଟ-୩ ଉପଗ୍ରହକୁ ୨୭ ନଭେମ୍ବର ସକାଳ ୯.୨୮ରେ ଶ୍ରୀହରିକୋଟା ଦ୍ୱିପରେ ସ୍ଥିତ ସତୀଶ ଧାବନ ସ୍ପେସ୍ ସେଣ୍ଟରର ଲଞ୍ଚ ପ୍ୟାଡ୍-୨ରୁ ଉତ୍କ୍ଷେପଣ କରିଛି । କାର୍ଟୋସାଟ୍-୩କୁ ପିଏସ୍ଏଲ୍ଭି-ସି ୪୭ରକେଟ୍ ମାଧ୍ୟମରେ ଉତ୍କ୍ଷେପଣ କରାଯାଇଛି । କୋର୍ଟୋସାଟ-୩ ପୃଥିବୀରୁ ୫୦୯କିମି ଉପରେ ଚକ୍କର କାଟିବ । କାର୍ଟୋସାଟ୍-୩ରେ ଏତେ ଶକ୍ତିଶାଳୀ କ୍ୟାମେରା ଲାଗିଛି ଯାହା ପୃଥିବୀ ପୃଷ୍ଠରୁ ୫୦୯କିମି ଉପରୁ ସ୍ପଷ୍ଟ ଚିତ୍ର ନେଇପାରିବ । ଏହାର ଅର୍ଥ ଆପଣଙ୍କ ହାତ ଘଣ୍ଟାରେ କେତେ ସମୟ ହୋଇଛି ତାହାର ବି ଚିତ୍ର ନେଇପାରିବ କାର୍ଟୋସାଟ୍-୩ ।
କାର୍ଟୋସାଟ୍-୩ର ବ୍ୟବହାର ସୀମାରେ ପହରା ଦେବା ପାଇଁ ହେବ । ଏହାସହ ଆପତ୍ତକାଳୀନ ପରିସ୍ଥିତି ବିଷୟରେ ଜାଣିବା ପାଇଁ କାର୍ଟୋସାଟ୍-୩ର ବ୍ୟବହାର ହେବ । ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିବା ପାଇଁ ଏହା ଏକ ଶକ୍ତିଶାଳୀ ଆଖି ଭାବେ କାର୍ଯ୍ୟ କରିବ ।