କଳା ଓ ସଂସ୍କୃତି

ଶ୍ରୀମନ୍ଦିରକୁ ବଦ୍‌ନାମ କରିଛି ଭାରତୀୟ ରେଳ ବିଭାଗ

ପୁରୀ ଅଫିସ : ଶ୍ରୀମନ୍ଦିରକୁ ବଦ୍‌ନାମ କରିବା ପାଇଁ ଏକ ସୁଚିନ୍ତିତ ସାଂଘାତିକ ଷଡ଼ଯନ୍ତ୍ର ଚାଲିଛି । ପ୍ରଥମେ ଏୟାର ଇଣ୍ଡିଆ, ଏବେ ଭାରତୀୟ ରେଳ ବିଭାଗ। ବମ୍ବେର ଛତ୍ରପତି ଶିବାଜୀ ଟର୍ମିନାଲ (ସିଏସ୍‌ଟି) ଷ୍ଟେସନରେ ଲଗାଯାଇଥିବା ଆଇଆର୍‌ସିଟିସିର ଭାରତ ଦର୍ଶନ ପୋଷ୍ଟରରେ ଶ୍ରୀମନ୍ଦିରକୁ ଅପମାନିତ କରାଯାଇଛି। ଶ୍ରୀମନ୍ଦିର ଦର୍ଶାଯାଇଥିବା ଫଟୋରେ ରହିଛି ଅନ୍ୟ ଏକ ମନ୍ଦିରର ଚିତ୍ର। ଏହି ପୋଷ୍ଟରକୁ ଶ୍ରୀମନ୍ଦିରରେ ଜଣେ ସେବାୟତ ସୋସିଆଲ ମିଡିଆରେ ଛାଡିବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ସେବାୟତ ଶମ୍ଭୁ ଖୁଣ୍ଟିଆ ବମ୍ବେ ଯାଇଥିଲେ। ସେଠାରୁ ଫେରିବା ବେଳେ ବମ୍ବେ ସିଏସ୍‌ଟି ଷ୍ଟେଶନରେ ଆଇଆର୍‌ସିଟିସି ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ପୁରୀରେ ପହଞ୍ଚିଲା ପରେ ମଙ୍ଗଳବାର ସକାଳେ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହି ଫଟୋଟି ଅପ୍‌ଲୋଡ କରିଛନ୍ତି। ଜନସାଧାରଣଙ୍କ ମଧ୍ୟରେ ଶ୍ରୀମନ୍ଦିର ପ୍ରତି ବିଭ୍ରାନ୍ତ ସୃଷ୍ଟି କରିବା ଲାଗି ଏଭଳି କରାଯାଇଥିବା ସେ ତାଙ୍କ ପୋଷ୍ଟରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ଶୁଭଯାତ୍ରା ନାମକ ଦ୍ୱିଭାଷୀ ମାସିକ ପତ୍ରିକାରେ ଶ୍ରୀମନ୍ଦିର ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରାଯାଇଥିଲା। ୨୦୧୬ ଅକ୍ଟୋବର ସଂସ୍କରଣରେ ଏହା ପ୍ରକାଶ ପାଇଥିଲା। ପ୍ରତ୍ୟହ ଶ୍ରୀମନ୍ଦିରରେ ୨୮୫ ପ୍ରକାର ନିରାମିଷ ଓ ଆମିଷ ବ୍ୟଞ୍ଜନ ପ୍ରସ୍ତୁତ ହୁଏ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ଏହାକୁ ନେଇ ଓଡ଼ିଶାବାସୀ ଓ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ଏଭଳି ତ୍ରୁଟି ଯୋଗୁ ଏୟାର ଇଣ୍ଡିଆ ପକ୍ଷରୁ କ୍ଷମା ପ୍ରର୍ଥନା କରାଯିବା ସହ ଉକ୍ତ ପତ୍ରିକାକୁ ପ୍ରତ୍ୟାହାର କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button