ଖେଳ

ଜିତିଲା ସନ୍‌ରାଇଜର୍ସ ଶେଷ ବଲ୍‌ରେ

ଆଓରି(ତା୧୩|୪)- ଆଇପିଏଲ୍‌-୧୧ରେ ଗୁରୁବାର ଏକ ରୋମାଞ୍ଚକର ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦ ଶେଷ ବଲ୍‌ରେ ବିଜୟୀ ହୋଇଛି। ମୁମ୍ବଇ ଇଣ୍ଡିଆନ୍‌ସକୁ ୧ ୱିକେଟରେ ହରାଇ ସନ୍‌ରାଇଜର୍ସ କ୍ରମାଗତ ୨ୟ ବିଜୟ ହାସଲ କରିଛି। ୫ଟି ୱିକେଟ ହାତରେ ଥାଇ ସନ୍‌ରାଇଜର୍ସ ୧୫ ବଲ୍‌ରୁ ୧୨ ରନ୍‌ ଆବଶ୍ୟକ କରୁଥିଲେ ହେଁ ମୁମ୍ବଇ ୧ ରନ୍‌ରେ ୪ଟି ୱିକେଟ ନେଇ ମ୍ୟାଚ୍‌କୁ ରୋମାଞ୍ଚକର କରି ଦେଇଥିଲା। ତେବେ ଶେଷ ଓଭରରେ ୧୧ ଏବଂ ଶେଷ ବଲ୍‌ରେ ୧ ରନ୍‌ ନେଇ ସନ୍‌ରାଇଜର୍ସ ଜିତିଥିଲା। ଘରୋଇ ଦଳର ପେସ୍‌ ବୋଲର ଚମତ୍କାର ପ୍ରଦର୍ଶନ କରିବାରୁ ଗତବର୍ଷର ଚମ୍ପିଆନ୍‌ ମୁମ୍ବଇ ଇଣ୍ଡିଆନ୍‌ସ ୮ ୱିକେଟରେ ୧୪୭ ରନ୍‌ କରିଥିଲା। ପରେ ଶିଖର ଧାୱନ୍‌ଙ୍କ ଆକ୍ରମଣାତ୍ମକ ୪୫ ରନ୍‌ ବଳରେ ସନ୍‌ରାଇଜର୍ସ ଶେଷ ବଲ୍‌ରେ ୯ ୱିକେଟ ହରାଇ ଜିତିଥିଲା।
ସନ୍‌ରାଇଜର୍ସ ହାଇଦରାବାଦ୍‌ର ଓପ୍‌ନିଂ ଯୋଡ଼ି ଆକ୍ରମଣାତ୍ମକ ବ୍ୟାଟିଂକରି ୧୪୮ ରନ୍‌ର ପିଛା ଆରମ୍ଭ କରିଥିଲେ। ୭ମ ଓଭରରେ ସନ୍‌ରାଇଜର୍ସ ବିନା ୱିକେଟରେ ୬୨ ରନ୍‌ ଯୋଡ଼ିଥିଲେ। ବିଶେଷକରି ଶିଖର ଧାୱନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅନ୍ୟ ଓପ୍‌ନର ଋଦ୍ଧିମାନ ଶାହା ୨୦ ବଲ୍‌ରୁ ୩ଟି ଚୌକା ସହ ୨୨ ରନ୍‌ କରିଥିଲେ। ପରେ ଅଧିନାୟକ କେନ୍‌ ୱିଲିୟମ୍‌ସନ ୬ ରନ୍‌କରି ବିଦାୟ ନେଇଥିଲେ। ବାମହାତି ଧାୱନ ୨୮ ବଲ୍‌ରୁ ୮ଟି ଚୌକା ସହ ୪୫ ରନ୍‌ କରିଥିଲେ। ୪୫ ରନ୍‌ରେ ସନ୍‌ରାଇଜର୍ସ ୫ଟି ୱିକେଟ ହରାଇଥିଲା। ଏହି ୫ଟି ମଧ୍ୟରୁ ପଞ୍ଜାବର ଲେଗ୍‌ସ୍ପିନର ମୟଙ୍କ ମାର୍କଣ୍ଡେ ୪ଟି ୱିକେଟ ନେଇ ସନ୍‌ରାଇଜର୍ସ ଶିବିରକୁ ଚିନ୍ତାରେ ପକାଇଥିଲେ। ପରେ ମନୀଷ ପାଣ୍ଡେ ୧୧ ଓ ସାକିବ୍‌ ଅଲ୍‌ ହାସନ୍‌ ୧୨ ରନ୍‌କରି ମାର୍କଣ୍ଡେଙ୍କ ଶିକାର ହୋଇଥିଲେ। ୧୦୭ ରନ୍‌ରେ ୫ଟି ୱିକେଟ ପଡ଼ିବା ପରେ ଯୁବ ବ୍ୟାଟ୍‌ସମ୍ୟାନ୍‌ ଦୀପକ ହୁଡା ଓ ଅଭିଜ୍ଞ ୟୁସୁଫ୍‌ ପଠାନ୍‌ ସ୍କୋର୍‌କୁ ଆଗେଇ ନେଇଥିଲେ। ୧୫ ବଲ୍‌ରେ ଆଉ ୧୨ ରନ୍‌ ଆବଶ୍ୟକ ଥିବା ୧ ରନ୍‌ରେ ୪ଟି ୱିକେଟ ପଡ଼ି ଯାଇଥିଲା। ଶେଷ ଓଭରରେ ୧୧ ରନ୍‌ ଆବଶ୍ୟକ ଥିବା ବେଳେ ଦୀପକ ହୁଡା ପ୍ରଥମ ବଲ୍‌ରେ ଛକା ମାରିଥିଲେ। ଶେଷ ବଲ୍‌ରେ ୧ ରନ୍‌ ଆବଶ୍ୟକ ଥିବା ବେଳେ ଷ୍ଟାନ୍‌ଲେକ୍‌ ଏହା ନେଇ ପାରିଥିଲେ। ମାର୍କଣ୍ଡେ ୪ଟି, ମୁସ୍ତାଫିଜୁର ରେହ୍‌ମାନ ୩ଟି ଓ ଯଶପ୍ରୀତ ବୁମ୍‌ରା ୨ଟି ୱିକେଟ ନେଇଥିଲେ। ଦୀପକ ହୁଡା ୩୨ ରନ୍‌କରି ଅପରାଜିତ ରହିଥିଲେ।
ଟସ୍‌ ଜିତି ସନ୍‌ରାଇଜର୍ସ ଫିଲ୍‌ଡିଂ ନେବା ପରେ ମୁମ୍ବଇ ଅଧିନାୟକ ରୋହିତ ଶର୍ମା ୧୧ ରନ୍‌କରି ବିଦାୟ ନେଇଥିଲେ। ପରେ ଅନ୍ୟ ଓପ୍‌ନର ୱେଷ୍ଟଇଣ୍ଡିଜ୍‌ର ଏଭିନ୍‌ ଲୁଇସ୍‌ ଆକ୍ରମଣ କରି ୧୭ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୯ ରନ୍‌ କରିଥିଲେ। ୨୪ ରନ୍‌ରେ ୩ଟି ୱିକେଟ ହରାଇ ମୁମ୍ବଇ ଚାପରେ ପଡ଼ି ଯାଇଥିଲା। ଇଶାନ୍‌ କିଷନ ୯ ରନ୍‌ କରି ପାରିଥିଲେ। କ୍ରୁନାଲ ପାଣ୍ଡ୍ୟା ୧୦ ବଲ୍‌ରୁ ୨ଟି ଚୌକା ସହ ୧୫ ରନ୍‌ କରିଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ ଓ କୈରନ୍‌ ପୋଲାର୍ଡଙ୍କ ଉପଯୋଗୀ ଯୋଗଦାନ ଯୋଗୁଁ ମୁମ୍ବଇ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚି ପାରିଥିଲା। ଦୁହେଁ ୫ମ ୱିକଟେ ପାଇଁ ୩୮ ରନ୍‌ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୩୧ ବଲ୍‌ରୁ ୨୮ ରନ୍‌ କରିଥିବା ବେଳେ ପୋଲାର୍ଡ ୨୩ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୮ ରନ୍‌ କରି ପାରିଥିଲେ। ୩ ରନ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସ ୩ଟି ୱିକେଟ ହରାଇଥିଲା। ୩ ପେସ୍‌ ବୋଲର ସନ୍ଦୀପ ଶର୍ମା, ବିଲି ଷ୍ଟାନ୍‌ଲେକ୍‌ ଓ ସିଦ୍ଧାର୍ଥ କୌଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button