ବ୍ୟକ୍ତିତ୍ଵ

ପ୍ରଥମ ମହିଳା ବିଚାରପତି ଭାବେ ଇନ୍ଦୁ ମଲୋହୋତ୍ରା

ଆଓରି(ତା୨୬|୪)-ସୁପି୍ରମକୋର୍ଟର ଭବିଷ୍ୟତ ବାବଦରେ ଆଲୋଚନା କରିବାକୁ ପୂର୍ଣ୍ଣ କୋର୍ଟ (ଫୁଲ କୋର୍ଟ) ଡକାଇବା ଲାଗି ସର୍ବୋଚ୍ଚ ଅଦାଲତର ଦୁଇ ବରିଷ୍ଠ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ଓ ଜଷ୍ଟିସ ମଦନ ବି ଲୋକୁର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପ୍ରଧାନ ବିଚାରପତିଙ୍କ ବିରୋଧରେ ୭ଟି ବିରୋଧୀ ଦଳ ଦେଇଥିବା ମହାଭିଯୋଗ ନୋଟିସ ଅଗ୍ରାହ୍ୟ ହେବାର ଦୁଇଦିନ ପରେ ଦୁଇ ବରିଷ୍ଠ ବିଚାରପତି ଏପରି ଚିଠି ଲେଖିଛନ୍ତି। ଦୁଇ ବରିଷ୍ଠ ବିଚାରପତି ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସର୍ବୋଚ୍ଚ ଅଦାଲତର ବିଭିନ୍ନ ପ୍ରସଙ୍ଗ ସହିତ ଏହାର ଭବିଷ୍ୟତ ବାବଦରେ ଆଲୋଚନା ପାଇଁ ପୂର୍ଣ୍ଣ କୋର୍ଟ ଡକାଯାଉ। ତେବେ ଏହି ଚିଠି ଉପରେ ପ୍ରଧାନ ବିଚାରପତି କୌଣସି ଉତ୍ତର ଦେଇନାହାନ୍ତି। ମିିଳିଥିବା ସୂଚନା ଅନୁଯାୟୀ ସୋମବାର ସମସ୍ତ ବିଚାରପତି ସକାଳ ଚା’ ପିଆ ଅବସରରେ ଏକାଠି ହୋଇଥିବାବେଳେ କେତେକ ବିଚାରପତି ଫୁଲ କୋର୍ଟ ଡାକିବା ବିଷୟ ଉଠାଇଥିଲେ। ମାତ୍ର ପ୍ରଧାନ ବିଚାରପତି ଏହାକୁ ଧ୍ୟାନ ଦେଇ ନଥିଲେ। ଫୁଲ କୋର୍ଟରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏକାଠି ହୋଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥାନ୍ତି। ବିଶେଷକରି ସର୍ବସାଧାରଣଙ୍କ ସ୍ୱାର୍ଥ ଆଧାରିତ ଓ ନ୍ୟାୟପାଳିକା ସହିତ ଜଡିତ ପ୍ରସଙ୍ଗ ଉପରେ ଫୁଲ୍‌ କୋର୍ଟ ଆଲୋଚନା କରିଥାନ୍ତି।
ଏହା ପୂର୍ବରୁ ମାର୍ଚ୍ଚ ୨୧ରେ ଜଷ୍ଟିସ ଚେଲମେଶ୍ୱର ଓ ଏପ୍ରିଲ ୯ରେ ଜଷ୍ଟିସ କୁରିଏନ ଯୋଶେଫ ପ୍ରଧାନ ବିଚାରପତିଙ୍କୁ ଅଲଗା ଚିଠି ଲେଖିଥିଲେ। ଜଷ୍ଟିସ ଚେଲମେଶ୍ୱର ଲେଖିଥିବା ଚିଠିରେ ନ୍ୟାୟପାଳିକା ଉପରେ ସରକାରଙ୍କ ହସ୍ତକ୍ଷେପ ବାବଦରେ ଆଲୋଚନା କରିବାକୁ କହିଥିଲେ। ସେହିପରି ଏପ୍ରିଲ ୯ରେ ଜଷ୍ଟିସ କୁରିଏନ ଯୋଶେଫ ପ୍ରଧାନ ବିଚାରପତିଙ୍କ ନିକଟକୁ ଅଲଗା ଚିଠି ଲେଖିଲେ। ସୁପି୍ରମକୋର୍ଟ କଲେଜିୟମ୍‌ଙ୍କ ସୁପାରିସକୁ କେନ୍ଦ୍ର ସରକାର ଉପେକ୍ଷା କରିବାକୁ ନେଇ ଜଷ୍ଟିସ ଯୋଶେଫ ଉଦ୍‌ବେଗ ପ୍ରକାଶ କରିଥିଲେ। ଜାନୁଆରୀ ୧୦ରେ ସୁପି୍ରମକୋର୍ଟଙ୍କ କଲେଜିୟମ୍‌ ବରିଷ୍ଠ ଓକିଲ ଇନ୍ଦୁ ମାଲହୋତ୍ରା ଓ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କେଏମ୍‌ ଯୋଶେଫଙ୍କୁ ସୁପି୍ରମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ସରକାରଙ୍କୁ ସୁପାରିସ କରିଥିଲେ। କଲେଜିୟମର ସୁପାରିସକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଅହେତୁକ ଅବହେଳାକୁ ନେଇ ଜଷ୍ଟିସ ଯୋଶେଫ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ସରକାରଙ୍କ ଏପରି ଅବହେଳା ଉପରେ ସୁପି୍ରମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ୭ଜଣିଆ ବିଚାରପତି ପୀଠ ଡକାଇ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ନିର୍ଦେଶନାମା ଜାରି କରିବା ଦରକାର। ସୁପି୍ରମକୋର୍ଟ ଯଦି ଏବେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅସ୍ତିତ୍ୱ ଆହୁରି ବିପନ୍ନ ହୋଇପଡିବ। ଆଗାମୀ ପିଢି କେବେହେଲେ ଆମକୁ (ସୁପି୍ରମକୋର୍ଟର ବର୍ତ୍ତମାନ ବିଚାରପତିମାନଙ୍କୁ) କ୍ଷମା ଦେବ ନାହିଁ।
ସର୍ବଶେଷ ରିପୋର୍ଟ ଅନୁଯାୟୀ ବୁଧବାର କେନ୍ଦ୍ର ସରକାର ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରାଙ୍କ ନାମକୁ ସୁପି୍ରମକୋର୍ଟ ବିଚାରପତି ନିଯୁକ୍ତି ଲାଗି ଅନୁମୋଦନ କରିଛନ୍ତି। ସୁପି୍ରମକୋର୍ଟ କଲେଜିୟମର ସୁପାରିସ ଆଧାରରେ ସରକାର ମାଲହୋତ୍ରାଙ୍କ ନାମକୁ ଅନୁମୋଦନ କରିଛନ୍ତି। ତେବେ ଛତିଶଗଡ ହାଇକୋର୍ଟ ବିଚାରପତି କେଏମ୍‌ ଯୋଶେଫଙ୍କ ନାମକୁ ସରକାର ଅନୁମୋଦନ କରି ନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button