ବୋଷ୍ଟନ୍ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍ ଆର୍ଟ ଚାମ୍ପିୟନଶିପ୍ରେ ପିପୁଲ୍ସ ଚଏସ୍ ଆଓ୍ବାର୍ଡ ଜିତିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
1 min read
ଆଓରି-ଭୁବନେଶ୍ଵର(୨୯/୦୭) : ଖ୍ୟାତନାମା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାରେ ଅନୁଷ୍ଠିତ ବୋଷ୍ଟନ୍ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍ ଆର୍ଟ ଚାମ୍ପିୟନଶିପ୍ ୨୦୧୯ରେ ପିପୁଲ୍ସ ଚଏସ୍ ଆଓ୍ବାର୍ଡ ଜିତି ସମଗ୍ର ଦେଶ ପାଇଁ ଗୌରବ ଆଣିଛନ୍ତି। ସୁଦର୍ଶନ ନିଜ ବାଲୁକା କଳାରେ ପ୍ଲାଷ୍ଟିକ୍ ପ୍ରଦୂଷଣର କରାଳ ରୂପକୁ ଦର୍ଶାଇ ଆମେରିକୀୟଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି। ବୋଷ୍ଟନରେ ଅନୁଷ୍ଠିତ ରିଭର ବିଚ୍ ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ୍ ସ୍କ୍ଲପ୍ଟିଂ ଫେଷ୍ଟିଭାଲ ୨୦୧୯ରେ ଶ୍ରେଷ୍ଠ ବିବେଚିତ ବିଶ୍ୱର ୧୫ଜଣ ଖ୍ୟାତନାମା ବାଲୁକା ଶିଳ୍ପୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ଏଥିରେ ସୁଦର୍ଶନ ‘ଷ୍ଟପ୍ ପ୍ଲାଷ୍ଟିକ୍ ପଲ୍ୟୁଶନ୍, ସେଭ୍ ଆଓ୍ବାର୍ ଓସେନ୍’ ଥିମ୍ ଅର୍ଥାତ୍ ଆମ ସମୁଦ୍ରକୁ ପ୍ଲାଷ୍ଟିକ୍ ପ୍ରଦୂଷଣରୁ ମୁକ୍ତ କରିବାର ବାର୍ତ୍ତାନେଇ ବାଲୁକାକଳା କରିଥିଲେ। ଏକ କଇଁଛ ପ୍ଲାଷ୍ଟିକ୍ ବ୍ୟାଗ୍ରେ ଛନ୍ଦି ହୋଇଯାଇଥିବାବେଳେ ଏକ ବିଶାଳ ମାଛ ଶରୀରରେ ପ୍ଲାଷ୍ଟିକ୍ ବୋତଲ, ପ୍ଲାଷ୍ଟିକ୍ ଚପଲ ଭଳି ଆବର୍ଜନା ରହିଥିବା ଏହି ସ୍ଥାପତ୍ୟରେ ପ୍ରତିଫଳିତ ହୋଇଥିଲା। ସେହିଭଳି ଉକ୍ତ ମାଛକୁ ଖାଇ ମଣିଷ କିଭଳି ବିଭିନ୍ନ ରୋଗର ଶିକାର ହେଉଛି ଏବଂ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବେ ମନୁଷ୍ୟ ହିଁ ପ୍ଲାଷ୍ଟିକ୍ ପ୍ରଦୂଷଣର ଶିକାର ହେବାକୁ ଯାଉଛି, ତାହାକୁ ସୁଦର୍ଶନ ନିଜ ବାଲୁକା କଳା ମାଧ୍ୟମରେ ଦେଖାଇଥିଲେ। ଏହି ପ୍ରତିଯୋଗିତାରେ ବହୁସଂଖ୍ୟାରେ ଭାରତୀୟ ଉପସ୍ଥିତ ରହି ତ୍ରିରଙ୍ଗା ଦେଖାଇ ସୁଦର୍ଶନଙ୍କୁ ସମର୍ଥନ କରିଥିଲେ।
ତେବେ ସୁଦର୍ଶନ ପାଇଥିବା ପୁରସ୍କାରକୁ ସେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଯେଉଁମାନେ ଏହି ବାଲୁକା କଳା ସପକ୍ଷରେ ଭୋଟ୍ କରି ମୋତେ ଜିତାଇଛନ୍ତି ସେମାନେ ବାସ୍ତବରେ ପ୍ଲାଷ୍ଟିକ୍ର ବ୍ୟବହାରକୁ ବିରୋଧ କରିଛନ୍ତି ବୋଲି ସେ କହିଛନ୍ତି। ଏଥିସହ ସୁଦର୍ଶନ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସଲ୍ ଜେନେରାଲ ସନ୍ଦୀପ ଚୌଧୁରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ନିଜ ବାଲୁକା କଳା ମାଧ୍ୟମରେ ସାମାଜିକ ପରିବର୍ତ୍ତନର ବାର୍ତ୍ତାଦେବାକୁ ସୁଦର୍ଶନ ପଟ୍ଟନାୟକ ସର୍ବଦା ପ୍ରଚେଷ୍ଟା କରିଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।