ସ୍ୱାସ୍ଥ୍ୟ

ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ଆଓରି(ତା୧୯|୪)- ଡେଙ୍ଗୁ ରୋଗ ନିରାକରଣ ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ବୈଜ୍ଞାନିକମାନେ। ବିଶ୍ୱରେ ଏହା ପ୍ରଥମ ବୋଲି କୁହାଯାଉଛି। ଆସନ୍ତା ବର୍ଷ ସୁଦ୍ଧା ଏହି ଔଷଧ ବଜାରକୁ ଆସିବା ନେଇ ଅନୁମାନ କରାଯାଉଛି।
କର୍ନାଟକର ବାଙ୍ଗାଲୋରେ ଥିବା ‘ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଫର୍‌ ରିସର୍ଚ୍ଚ ଇନ୍‌ ଆୟୁର୍ବେଦିକ୍‌ ସାଇନ୍ସ’ (ସିସିଆର୍‌ଏଏସ୍‌)ର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ଏ ଦିଗରେ ପାଇଲଟ୍‌ ପ୍ରୋଜେକ୍ଟରେ ଅଧ୍ୟୟନ ଜାରି ରହିଛି। ଆୟୁର୍ବେଦିକ ଡେଙ୍ଗୁ ଔଷଧର ପରୀକ୍ଷଣ ଏବଂ ବିଶ୍ୱସନୀୟତା ନେଇ ମଧ୍ୟ ମାର୍ଗ ପ୍ରଶସ୍ତ ହୋଇଛି। ସିସିଆର୍‌ଏଏସ୍‌ ହେଉଛି ଆଇସିଏମ୍‌ଆର୍‌ ଏବଂ ଆୟୁଷ ମନ୍ତ୍ରଣାଳୟର ଅଧୀନସ୍ତ ଏକ ସ୍ବୟଂଶାସିତ ସଂସ୍ଥାନ। ସିସିଆର୍‌ଏଏସ୍‌ର ପ୍ରଧ୍ୟାପକ ତଥା ମହାନିର୍ଦ୍ଦେଶକ ବୈଦ୍ୟ କେ. ଧୀମାନ କୁହନ୍ତି ଏହି ଔଷଧର ମାନବୀୟ ପରୀକ୍ଷଣ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ଗ୍ରହଣୀୟ କରିବା ନେଇ ରାଜ୍ୟର ବେଲ୍‌ଗାମ୍‌ ଏବଂ କୋଲାର ମେଡିକାଲ କଲେଜରେ ‘ଡବଲ୍‌-ବ୍ଲାଇଣ୍ଡ ପ୍ଲାସେବୋ-କଣ୍ଟ୍ରୋଲ୍‌ଡ୍‌ କ୍ଲିନିକାଲ୍‌ ଟେଷ୍ଟ ଚାଲିଛି। ଏହି ଡେଙ୍ଗୁ ନିରାକରଣ ଆୟୁର୍ବେଦିକ ଔଷଧ ୭ଟି ହର୍ବାଲ୍‌ ଉପାଦାନରେ ପ୍ରସ୍ତୁତ, ଯାହା ଆୟୁର୍ବେଦ ଔଷଧ ତିଆରି ପାଇଁ ଶହ ଶହ ବର୍ଷରୁ ବ୍ୟବହାର ହୋଇଆସୁଛି। ଗ୍ରୀଷ୍ମମଣ୍ଡଳୀୟ ଦେଶଗୁଡ଼ିକରେ ଡେଙ୍ଗୁ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏହାର ଚିକିତ୍ସାରେ ବିଫଳତା ଏବଂ ପ୍ରାଣହାନି ବିଭିନ୍ନ ସରକାର ଏବଂ ସ୍ବାସ୍ଥ୍ୟ ସଂସ୍ଥାଗୁଡ଼ିକର ଚିନ୍ତା ବଢ଼ାଇଥାଏ। ଆୟୁର୍ବେଦ ଏବଂ ସିଦ୍ଧ ସାହିତ୍ୟରେ ଡେଙ୍ଗୁ ବିଷୟରେ ସେଭଳି କିଛି ତଥ୍ୟ ଉଲ୍ଲେଖ ନାହିଁ। ତେବେ ଡେଙ୍ଗୁ ନିରୋଧୀ ଔଷଧ ପ୍ରସ୍ତୁତ କରିବା ଲାଗି ୨୦୧୫ରୁ ଅଭିଯାନ ଆରମ୍ଭ ହୋଇଥିଲା। ଗୁଡ୍‌ଗାଓଁର ମେଦାନ୍ତ ହସ୍ପିଟାଲ୍‌ରେ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା। ଗତବର୍ଷ ଜୁନ୍‌ରେ ଔଷଧ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛି ବୋଲି ଧୀମାନ କହିଛନ୍ତି। ପରୀକ୍ଷଣ ବେଳେ ୯୦ ଜଣଙ୍କ ଉପରେ ଔଷଧର ପ୍ରୟୋଗ ହୋଇଥିଲା। ସେତେବେଳେ ଏହା ତରଳ ଅବସ୍ଥାରେ ପରୀକ୍ଷଣ ହୋଇଥିଲା। କିନ୍ତୁ ବର୍ତ୍ତମାନ ଚାଲିଥିବା କ୍ଲିନିକାଲ୍‌ ଟେଷ୍ଟରେ ବଟିକା ଭାବେ ପରୀକ୍ଷଣ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button