ଅଭିନନ୍ଦନଙ୍କ ସାହସିକତାର ଗାଥା ବଖାଣିଲେ ନରେନ୍ଦ୍ର ମୋଦୀ
1 min read
ଆଓରି-ନୂଆଦିଲ୍ଲୀ(୦୧/୦୩) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁର କନ୍ୟାକୁମାରୀରେ ଶୁକ୍ରବାର (୧ମାର୍ଚ୍ଚ) ରେଳ-ସଡ଼କ ଭଳି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୋଦି ଭାରତୀୟ ଓ୍ୱିଙ୍ଗ କମାଣ୍ଡର ବୀର ଅଭିନନ୍ଦନ ବର୍ତ୍ତମାନଙ୍କ କଥା ମନେ ପକାଇଛନ୍ତି । ସେଠାରେ ସେ ନିଜ ଭାଷଣରେ ଅଭିନନ୍ଦନଙ୍କ ସାହସିକତାର କଥା ବଖାଣିଥିଲେ । ଅଭିନନ୍ଦନଙ୍କ ପାଇଁ ଆଜି ସାରା ଭାରତ ଗର୍ବିତ ବୋଲି କହିଛନ୍ତି ମୋଦି । ତେବେ ଅଭିନନ୍ଦନଙ୍କ ଭଳି ଜଣେ ବୀର ତାମିଲନାଡ଼ୁ ମାଟିରୁ ଜନ୍ମ ନେଇଥିବା ବେଳେ ଭାରତର ପ୍ରଥମ ମହିଳା ରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏହି ତାମିଲନାଡ଼ୁ ମାଟିରୁ ଜନ୍ମ ନେଇଛନ୍ତି । ଏହାକୁ ନେଇ ମୋଦି ନିଜେ ଗର୍ବିତ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତାମିଲନାଡ଼ୁରେ ୨,୯୯୫ କୋଟି ଟଙ୍କାର ବିଭିନ୍ନ ରାଜମାର୍ଗ ଓ ଲୋକାଭିମୁଖି ପ୍ରକଳ୍ପର ଶିଳାନ୍ୟାଶ ଓ ଲୋକାର୍ପଣ କରିଛନ୍ତି । ସେ ସଡ଼କ ସୁରକ୍ଷା ପାର୍କ ଓ ପରିବହନ ସଂଗ୍ରହାଳୟର ଉଦ୍ଘାଟନ ମଧ୍ୟ କରିଛନ୍ତି । କନ୍ୟାକୁମାରୀରେ ଆୟୋଜିତ ଜନସଭାରେ ଲୋକଙ୍କୁ ସମ୍ବୋଧିତ କରିବା ସହ ତାମିଲନାଡ଼ୁରେ ରହୁଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ପାଇଁ ସାରା ଦେଶ ଆଜି ଗର୍ବିତ ବୋଲି କହିଛନ୍ତି ।
ବୁଧବାର ୨୭ ଫେବ୍ରୁଆରୀ ସକାଳେ ପାକିସ୍ତାନ ହମ୍ଲାକୁ ବିଫଳ କରିବା ପାଇଁ ପାକିସ୍ତାନ ସେନାର ଅତ୍ୟାଧୁନିକ ଏଫ୍-୧୬ ଯୁଦ୍ଧ ବିମାନକୁ ମାରି ଖସାଇ ଦେଇଥିଲେ ଅଭିନନ୍ଦନ । ଏହି ଘଟଣାରେ ଅଭିନନ୍ଦନଙ୍କ ମିଗ୍-୨୧ ଯୁଦ୍ଧ ବିମାନ ମଧ୍ୟ କ୍ରାଶ ହୋଇଯାଇଥିଲା । ଫଳରେ ସେ ବାଧ୍ୟ ହୋଇ ପାରଚ୍ୟୁଟ୍ ଦ୍ୱାରା ବିମାନରୁ ଓହ୍ଲାଇଥିଲେ । ସେବେଠାରୁ ସେ ପାକିସ୍ତାନ କବ୍ଜାରେ ରହିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଗୁରୁବାର ସଂସଦରେ ଘୋଷଣା କରିଥିଲେ ଯେ, ସେ ଶୁକ୍ରବାର ଅଭିନନ୍ଦନଙ୍କୁ ମୁକ୍ତ କରିବେ । ଇମ୍ରାନ୍ ଆହୁରି ମଧ୍ୟ କହିଥିଲେ ଯେ, ସେ ଭାରତ ,ସହ ଯୁଦ୍ଧ ନୁହେଁ ଶନ୍ତି ସ୍ଥାପନ କରିବା ଉଦ୍ଦ୍ୟେଶ୍ୟରେ ଅଭିନନ୍ଦନଙ୍କୁ ମୁକ୍ତ କରୁଛନ୍ତି ।