ଭାରତୀୟ ସେନାଙ୍କୁ ସଫଳତା
1 min read
ଆଓରି(ତା୨୪|୪)- ମଙ୍ଗଳବାର ଦିନ ଭାରତୀୟ ସେନାକୁ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନ ସୀମାନ୍ତ ମେନ୍ଧର ସେକ୍ଟର ଅନ୍ତର୍ଗତ ପୁଞ୍ଚ ଜିଲାର କୃଷ୍ଣା ଘାଟି ନିକଟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନର ୪ ସୈନିକଙ୍କୁ ଗୁଳିମାରି ହତ୍ୟା କରିଛନ୍ତି ଭାରତୀୟ ସେନା। ପାକିସ୍ତାନର ଉତ୍ତର ଳାଇଟ୍ ଇନ୍ଫାଣ୍ଟ୍ରି ରେଜିମେଣ୍ଟର ଏହି ୪ ସୈନିକ ଭାରତୀୟ ସୈନିକଙ୍କୁ ଗୁଳିମାଡ଼ କରିବାରେ ଭାରତୀୟ ସେନା ଏହାର ଜବାବ ଦେଇଥିଲେ; ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।
ସୋମବାର ମଧ୍ୟ ଏହି ଅଞ୍ଚଳରେ ଜଣେ ପାକିସ୍ତାନୀ ସୈନିକକୁ ଭାରତୀୟ ସେନା ହତ୍ୟା କରିଥିଲେ। ଏହାଛଡ଼ା ପାକିସ୍ତାନୀ ଶିବିର ଧ୍ୱଂଶ ପାଇଥିଲା। ଏହାଛଡ଼ା ଜାମ୍ମୁ କାଶ୍ମୀରର ପୁଲୱାମା ଅନ୍ତର୍ଗତ ତ୍ରାଲ ଅଞ୍ଚଳର ଲାମ ଜଙ୍ଗଲ ମଧ୍ୟରେ ମଙ୍ଗଳବାର ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘମାଘୋଟ ଗୁଳିବିନିମୟ ଘଟିଛି। ଏଥିରେ ୪ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେନା ଏବଂ ପୁଲିସ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଚାଲିଥିବାବେଳେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଯବାନମାନେ ପ୍ରତିଆକ୍ରମଣ କରିବାରୁ ସେଠାରେ ବହୁ ସମୟ ପର୍ୟ୍ୟନ୍ତ ଗୁଳିବିନିମୟ ହୋଇଥିଲା। ଏଥିରେ ସିପାହୀ ଅଜୟ ଏବଂ କନଷ୍ଟେବଳ ଲାତିଦ ଗୁଜରି ଗୁରୁତର ଆହତ
ହୋଇଥିଲେ। ଚିକିତ୍ସା ନିମନ୍ତେ ଡାକ୍ତରଖାନା ନେବା ବାଟରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ମୃତ ଆତଙ୍କବାଦୀମାନେ ଜୈସ୍ ଇ ଅହମ୍ମଦ ସଂଗଠନର ବୋଲି ଜଣାପଡ଼ିଛି। ରାଜ୍ୟ ପୁଲିସ ଡିଜି ଏହି ଘଟଣାରେ ସୁରକ୍ଷା କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି।