ଖେଳ

ଇଂଲଣ୍ଡ କୁ ହରାଇ ଭାରତ ୨-୧ ସିରିଜରେ ବିଜୟ

ଆଓରି-ବୁରୋ(୯/୭) : ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ କୁ ଭାରତ ୨-୧ ରେ ବିଜୟ ହାସଲ କରିଛି |  ରୋହିତ ଶର୍ମାଙ୍କ ଅପରାଜିତ ଶତକ ବଳରେ ରବିବାର ୩ୟ ତଥା ଅନ୍ତିମ ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ଇଂଲଣ୍ଡକୁ ୭ ୱିକେଟରେ ଭାରତ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‍ର ଟ୍ୱେଣ୍ଟି୨୦ ସିରିଜ୍‍କୁ ଭାରତ ୨-୧ରେ ଜିତିନେଇଛି। ଜେସନ୍‍ ରୟଙ୍କ ବିସ୍ଫୋରକ ୬୭ ରନ୍‍ ବଳରେ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୯ ୱିକେଟରେ ୧୯୮ ରନ୍‍ କରିଥିଲା। ପରେ ରୋହିତଙ୍କ ଅପରାଜିତ ୧୦୦ ରନ୍‍ ବଳରେ ୧୮.୪ ଓଭରରେ ୩ ୱିକେଟ ହରାଇ ଭାରତ ଜିତିଥିଲା। ୧୨ରୁ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଖେଳାଯିବ।

ରବିବାର ବିରାଟ କୋହଲି ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଇଂଲଣ୍ଡ ପ୍ରାରମ୍ଭିକ ଯୋଡ଼ି ଜାସନ୍‌ ରୟ ଏବଂ ଜୋସ୍‌ ବଟଲର୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ଜାସନ୍‌ ରୟ ୨୩ ବଲ୍‌ରୁ ଅର୍ଧଶତକ ହାସଲ କରି ଇଂଲଣ୍ଡକୁ ଉଡ଼ନ୍ତା ଆରମ୍ଭ ଦେଇଥିଲେ। ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଦ୍ରୁତ ବୋଲର୍‌ ଦୀପକ ଚହର ପାଳିର ପ୍ରଥମ ଓଭର ବୋଲିଂ କରି ୧୩ ରନ୍‌ ଦେଇ ନିରାଶ ହୋଇଥିଲେ। ପାଓ୍ଵାର୍‌ ପ୍ଲେ’ର ଶେଷ ଓଭର (ଷଷ୍ଠ) ବୋଲିଂ କରିଥିବା ହାର୍ଦିକ ପାଣ୍ଡ୍ୟା (୪,୪,୬,୬,୧,୧) ୨୨ରନ୍‌ ବ୍ୟୟ କରିଥିଲେ ମଧ୍ୟ ନିଜର ଦ୍ୱିତୀୟ ଓଭରରେ ମାତ୍ର ୨ ରନ୍‌ ଦେଇ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ। ଏଥିରେ ଉତ୍ସାହିତ ହୋଇ ଶେଷକୁ ପାଳିର ସଫଳତମ ବୋଲର ହୋଇଥିଲେ ହାର୍ଦିକ (୪-୦-୩୮-୪)। ଦ୍ୱିତୀୟ ସ୍ପେଲ୍‌ର ୩ ଓଭରରେ ସେ ୧୬ ରନ୍‌ ଦେଇ ନେଇଥିଲେ ଇଂଲଣ୍ଡର ୪ ପ୍ରମୁଖ ବ୍ୟାଟସମ୍ୟାନ୍‌ ଇଅନ୍‌ ମୋର୍ଗାନ୍‌ (୬), ଆଲେକ୍ସ ହେଲ୍‌ସ (୩୦, ୨୪ ବଲ୍‌, ୩ ଚୌକା, ୨ ଛକା), ବେନ୍‌ ଷ୍ଟୋକ୍‌ସ (୧୪, ୧୦ ବଲ୍‌, ୨ ଚୌକା) ଏବଂ ଜନି ବେୟାରଷ୍ଟୋ (୨୫, ୧୪ ବଲ୍‌, ୨ ଚୌକା, ୨ ଛକା)ଙ୍କ ଓ୍ଵିକେଟ୍‌। ଏହା ପୂର୍ବରୁ ସିଦ୍ଧାର୍ଥ କଉଲ୍‌ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଜୋସ୍‌ ବଟଲର୍‌ (୩୪, ୨୧ ବଲ୍‌, ୭ଚୌକା)ଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜାସନ୍‌ ରୟ (୬୭, ୩୧ ବଲ୍‌, ୪ ଚୌକା, ୭ ଛକା)ଙ୍କୁ ନିଜ ପ୍ରଥମ ଅର୍ନ୍ତଜାତୀୟ ଓ୍ଵିକେଟ୍‌ ବନାଇ ପ୍ରାରମ୍ଭିକ ଧୂଲେଇର ମଧୁର ପ୍ରତିଶୋଧ ନେଇଥିଲେ। ପ୍ରଥମରୁ ୧୦ ରନ୍‌ ହାରରେ ରନ୍‌ ସଂଗ୍ରହ କରୁଥିବା ଇଂଲଣ୍ଡ କିନ୍ତୁ ହାର୍ଦିକ ପାଣ୍ଡ୍ୟାଙ୍କ ଓ୍ଵିକେଟ୍‌ ଦଖଲ କ୍ଷମତା ଆଗରେ ଆତ୍ମସମର୍ପଣ କରିବାରୁ ଶେଷ ୭ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୯୮/୯ରେ ସୀମିତ ରହିଥିଲା।

 ଜବାବରେ ଶିଖର ଧାଓ୍ଵନ (୫) ଏବଂ ଲୋକେଶ ରାହୁଲ (୧୯, ୧୦ ବଲ୍‌) ପାଓ୍ଵାର ପ୍ଲେ ଭିତରେ ଆଉଟ୍‌ ହୋଇଯାଇଥିଲେ ମଧ୍ୟ ଭାରତ ପାଇଁ ଏକା ରୋହିତ ଶର୍ମା ଯଥେଷ୍ଟ ହେବା ଭଳି ଅନୁଭବ ଦେଇଥିଲେ। ଅଧିନାୟକ ବିରାଟ କୋହଲି (୪୩, ୨୯ ବଲ୍‌, ୨ ଚୌକା, ୨ ଛକା)ଙ୍କ ସହ ମିଶି ସେ ତୃତୀୟ ଓ୍ଵିକେଟ୍‌ ଭାଗୀଦାରିରେ ୯.୩ ଓଭରରେ ୮୯ ରନ୍‌ ଯୋଡ଼ି ଭାରତ ସୁଯୋଗକୁ କାଏମ ରଖିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button