ଖେଳ

ଭାରତ-ଆୟରଲାଣ୍ଡ ପ୍ରଥମ ଟି୨୦

ଆଓରି-ନୂଆଦିଲ୍ଲୀ(୨୭/୬): ବୁଧବାର ଏଠାରେ ଘରୋଇ ଆୟରଲାଣ୍ଡ ଓ ଭାରତ ମଧ୍ୟରେ ଦୁଇଟିକିଆ ଟ୍ୱେଣ୍ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଏହି ସିରିଜ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ୩ଟି ଟ୍ୱେଣ୍ଟି୨୦, ୩ଟି ଦିନିକିଆ ଓ ୫ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏଭଳି ଏକ ବ୍ୟସ୍ତବହୁଳ ସିରିଜ ପୂର୍ବରୁ ଆୟରଲାଣ୍ଡ ବିପକ୍ଷ ସିରିଜ ଜିତି ଇଂଲଣ୍ଡର ମୁକାବିଲା କରିବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି।
ଭାରତ ଓ ଆୟରଲାଣ୍ଡ ଦଳର ଶକ୍ତି ଓ ସାମର୍ଥ୍ୟକୁ ତୁଳନା କଲେ ଭାରତ ନିଶ୍ଚିତଭାବେ ଏହି ସିରିଜରେ ଫେଭରିଟ୍‍ ମାନ୍ୟତା ପାଇବ। ଅଧିନାୟକ ବିରାଟ କୋହଲିଙ୍କ ସମେତ ଶିଖର ଧାୱନ, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ସୁରେଶ ରୈନାଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନଅପ୍‍ ବେଶ ଶକ୍ତିଶାଳୀ। ଏହାବ୍ୟତୀତ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିବାରେ ସିଦ୍ଧହସ୍ତ। ଫାଷ୍ଟ ବୋଲିଂରେ ଉମେଶ ଯାଦବ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‍ରା ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ଅସୁବିଧାରେ ପକାଇବାର ଦକ୍ଷତା ରଖିଥିବାବେଳେ ଦୁଇ ଯୁବ ସ୍ପିନର କୁଳଦୀପ ଯାଦବ ଓ ୟୁଜ୍‍ବେନ୍ଦ୍ର ଚହଲ ଚମତ୍କାର ଫର୍ମରେ ରହିଛନ୍ତି। ଅପରପକ୍ଷରେ ଆୟରଲାଣ୍ଡ ଦଳରେ ଅଧିନାୟକ ଗ୍ୟାରୀ ୱିଲସନ, ପୂର୍ବତନ ଅଧିନାୟକ ୱିଲିୟମ ପଟରଫିଲ୍ଡ ଓ ଅଲରାଉଣ୍ଡର କେଭିନ ଓ’ବ୍ରାଏନଙ୍କ ପ୍ରଦର୍ଶନ ଉପରେ ଦଳର ବିଜୟ ଅନେକାଂଶରେ ନିର୍ଭର କରୁଛି। ଏମାନଙ୍କ ବ୍ୟତୀତ ଜର୍ଜ ଡକ୍ରେଲ, ଆଣ୍ଡି ମ୍ୟାକ୍‍ବ୍ରାଇନ, ଷ୍ଟୁଆର୍ଟ ପଏଣ୍ଟରଙ୍କ ସମେତ ନବାଗତ ସ୍ପିନର ସିମି ସିଂହଙ୍କଠାରୁ ଦଳ ଉନ୍ନତ ପ୍ରଦର୍ଶନର ଆଶା ରଖୁଛି। ଉଭୟ ଦଳ ପ୍ରଥମ ଥର ପାଇଁ କୌଣସି ଟ୍ୱେଣ୍ଟି୨୦ରେ ପରସ୍ପରକୁ ଭେଟିବାକୁ ଯାଉଥିବାବେଳେ ଫଳାଫଳ ଭାରତ ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ବର୍ତ୍ତମାନ ଆଇସିସି ଟ୍ୱେଣ୍ଟି୨୦ ମାନ୍ୟତାରେ ୩ୟ ସ୍ଥାନରେ ରହିଛି ଭାରତ। ତେବେ ଆଗକୁ ବିରାଟ କୋହଲିଙ୍କ ଦଳକୁ ବେଶ୍‍ କିଛି ସଂଖ୍ୟକ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବାର ଥିବାରୁ ଏହି ମାନ୍ୟତାରେ ଉନ୍ନତି ଘଟିପାରେ। ଜୁନ୍‍ ୨୭ ଓ ୨୯ରେ ଘରୋଇ ଆୟରଲାଣ୍ଡ ବିରୋଧରେ ଭାରତ ୨ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ। ପୁଣି ଜୁଲାଇ ୧ରୁ ୮ ମଧ୍ୟରେ ଘରୋଇ ଇଂଲଣ୍ଡ ବିରୋଧରେ ଭାରତ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ। ଏହି ୫ଟିଯାକ ମ୍ୟାଚ୍‍ ଜିତିଲେ ଭାରତ ୧୩୭ ପଏଣ୍ଟରେ ପହଞ୍ଚିବ ଏବଂ ୨ନଂ ମାନ୍ୟତା ହାସଲ କରିପାରେ। ଜୁନ୍‍ ୨୭ରେ ଘରୋଇ ଇଂଲଣ୍ଡ ବିରୋଧରେ ଅଷ୍ଟ୍ରେଲିଆ ଏକମାତ୍ର ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ। ପୁଣି ଜୁଲାଇ ୧ରୁ ୮ ମଧ୍ୟରେ ଜିମ୍ବାୱେରେ ଏକ ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳାଯିବ; ଯେଉଁଥିରେ ଅନ୍ୟ ୨ ଦଳ ହେଲେ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ବର୍ତ୍ତମାନ ୧୩୧ ପଏଣ୍ଟ ସହ ପାକିସ୍ତାନ ୧ନଂ ସ୍ଥାନରେ ରହିଛି। ୧୨୬ ପଏଣ୍ଟ ସହ ଅଷ୍ଟ୍ରେଲିଆ ୨ୟ ସ୍ଥାନରେ ରହିଛି। ତ୍ରିରାଷ୍ଟ୍ରୀୟ ସିରିଜ୍‍ରେ ପାକିସ୍ତାନ ଖରାପ ପ୍ରଦର୍ଶନ କଲେ ଏହାର ମାନ୍ୟତା ନିମ୍ନଗାମୀ ହୋଇପାରେ। ପୁଣି ତ୍ରିରାଷ୍ଟ୍ରୀୟରେ ଅଷ୍ଟ୍ରେଲିଆ ୪ଟିଯାକ ଲିଗ୍‍ ମ୍ୟାଚ୍‍ ଜିତିଲେ ମଧ୍ୟ ଏହା ୧ନଂ ସ୍ଥାନରେ ପହଞ୍ଚିଯିବ। ପାକିସ୍ତାନ ୨ରୁ ଅଧିକ ଲିଗ୍‍ ମ୍ୟାଚ୍‍ ଜିତିପାରିଲେ ୧ନଂ ସ୍ଥାନ ବଜାୟ ରଖିପାରିବ। ଟ୍ୱେଣ୍ଟି୨୦ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତାରେ ୮ମ ସ୍ଥାନରେ ଥିବା ବିରାଟ କୋହଲି ମଧ୍ୟ ଆସନ୍ତା ୫ଟି ଟି୨୦ ମ୍ୟାଚ୍‍ରେ ଭଲ ପ୍ରଦର୍ଶନ କରି ମାନ୍ୟତାରେ ଉନ୍ନତି କରିବାକୁ ଚାହିଁବେ।

 

Related Articles

Leave a Reply

Your email address will not be published. Required fields are marked *

Back to top button