March 21, 2023

ବଢିଲା ଏଚ.ଡି. କୁମାରସ୍ଵାମୀଙ୍କ ସଙ୍କଟ ; ଇସ୍ତଫା ଦେଇପାରନ୍ତି ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ଵର

1 min read

ଆଓରି-ନୂଆଦିଲ୍ଲୀ(୦୮/୦୭) : କର୍ଣ୍ଣାଟକରେ ଦେଖାଦେଇଥିବା ରାଜନୈତିକ ସଙ୍କଟ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ଶକ୍ତ ଧକ୍କା ଦେଇଛି। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ଵର ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକା ଯାଇଥିବା ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ଵାମୀ ସ୍ଵତନ୍ତ୍ର ବିମାନରେ କର୍ଣ୍ଣାଟକ ଫେରିଛନ୍ତି। ଦୁଇ ଦିନ ପୂର୍ବରୁ ୮ କଂଗ୍ରେସ ଓ ୩ ଜେଡିଏସ ବିଧାୟକଙ୍କୁ ମିଶାଇ ମୋଟ ୧୧ ବିଧାୟକ ଇସ୍ତଫା ଦେଇଥିବାବେଳେ ଆଉ ୧୦ ବିଧାୟକ ମୁମ୍ବାଇ ଚାଲିଯାଇ ଏକ ହୋଟେଲରେ ରହିଛନ୍ତି।

ଜି. ପରମେଶ୍ଵର କହିଛନ୍ତି, ମେଣ୍ଟ ସରକାରରେ ଥିବା କଂଗ୍ରେସ ମନ୍ତ୍ରୀମାନଙ୍କୁ ବୈଠକ ପାଇଁ ଡକାଇଛି। ବୈଠକରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା ହେବ। ବିଜେପି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି। ଯଦି ଦରକାର ପଡ଼େ ଆମେ ସମସ୍ତେ ଇସ୍ତଫା ଦେବୁ। ଏହାମଧ୍ୟରେ କୁମାରସ୍ବାମୀ ଜେଡିଏସ ମୁଖ୍ୟ ଏଚ.ଡି. ଦେବେଗୌଡ଼ାଙ୍କ ସହିତ ସ୍ଥିତି ବିଷୟ​‌ରେ ଆଲୋଚନା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଦଳୀୟ ନେତାମାନଙ୍କୁ ସରକାର ବିରୋଧରେ କିଛି ନ କହିବାକୁ ନିବେଦନ କରିଛନ୍ତି। ତେବେ ମେଣ୍ଟ ସରକାରର ନେତାମାନେ ଏଭଳି ସଙ୍କଟ ପାଇଁ ବିଜେପିକୁ ଦାୟୀ କରୁଛନ୍ତି। କିନ୍ତୁ ଏହା ପଛରେ ବିଜେପିର କୌଣସି ହାତ ନ ଥିବା ଜଣେ ନେତା କହିଛନ୍ତି।

ସେହିପରି ମୁମ୍ବାଇରେ ଥିବା କଂଗ୍ରେସ ବିଧାୟକ ଏସ.ଟି. ସୋମଶେଖର କହିଛନ୍ତି, ଆମେ ଏଠାରେ ୧୦ ବିଧାୟକ ଅଛୁ। ମୋଟ ଉପରେ ୧୩ ବିଧାୟକ ବାଚସ୍ପତି କେ.ଆର ରମେଶ କୁମାର ଏବଂ ରାଜ୍ୟପାଳ ବାଜୁଭାଇ ବଳଙ୍କୁ ଇସ୍ତଫା ଦେଇଛୁ। ଆମେ ସମସ୍ତେ ଏକାଠି ଅଛୁ। ଇସ୍ତଫା ପ୍ରତ୍ୟାହାର ଲାଗି ବେଙ୍ଗାଲୁରୁ ଫେରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।

ରାଜ୍ୟ ବିଜେପି ମୁଖ୍ୟ ବି.ଏସ. ୟେଦୁରପ୍ପା କହିଛନ୍ତି, ମୁଁ ଏବଂ ମୋର ଦଳୀୟ ନେତାମାନେ ବିରୋଧୀଙ୍କ ବିରୋଧରେ କୌଣସି ଷଡ଼ଯନ୍ତ୍ର କରିନାହୁଁ। ଗଣମାଧ୍ୟମରୁ ଶୁଣିବାକୁ ପାଉଛି ଯେ, କଂଗ୍ରେସ ଏବଂ ଜେଡିଏସ ବିଧାୟକମାନେ ଇସ୍ତଫା ଦେଇଛନ୍ତି। କିନ୍ତୁ ଏହା ପଛରେ ବିଜେପିର କୌଣସି ନେତାଙ୍କ ହାତ ନାହିଁ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.