ଖୋର୍ଦ୍ଧାଠାରେ ଲୋକାର୍ପିତ ହେଲା ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ
1 min read
ଆଓରି-ଭୁବନେଶ୍ଵର(୦୪/୦୧) : ପୂର୍ଣ୍ଣାଙ୍ଗ ରୂପ ନେଇଛି ଖୋର୍ଦ୍ଧାସ୍ଥିତ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ। କଳାତ୍ମକ ପରିପ୍ରକାଶ ଉଦ୍ୟାନର ଶୋଭାକୁ ବହୁଗୁଣିତ କରିଛି। ପ୍ରଜ୍ଞା ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୨ତମ ଜୟନ୍ତୀ ଅବସରରେ ଲୋକାର୍ପିତ ହୋଇଛି ଏହି ନିଆରା ଉଦ୍ୟାନ। ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଫିତାକାଟି ଉଦ୍ୟାନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।
୩ ବର୍ଷ ତଳେ କେବଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତି ସ୍ଥାପନ ହୋଇଥିଲା। ତେବେ ଇତିମଧ୍ୟରେ ସୀମିତ ପରିସରରେ ଉଦ୍ୟାନର ଏ ନବକଳେବରକୁ ଅତିଥିମାନେ ପ୍ରଶଂସା କରିଛନ୍ତି। ସରକାର ଏଥିପାଇଁ ଜାଗା ଯୋଗାଇ ଦେଇଥିବା ବେଳେ ସ୍ମୃତି କମିଟି ଟ୍ରଷ୍ଟ୍ ଉଦ୍ୟମରେ ୨କୋଟି ୭୮ ଲକ୍ଷ ଟଙ୍କାରେ ନିର୍ମିତ ଏହି ଉଦ୍ୟାନରେ ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ସାଇତା ରହିଛି।
ଏହି ଅବସରରେ ଉଦ୍ୟାନର ଡିଜାଇନ୍ କରିଥିବା ବିଜୟରାମ ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ଦଳେଇ ଏବଂ ଅମିୟ ଦାସ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ବିମଳ ରଥ ଉପସ୍ଥିତ ଥିଲେ। ଶେଷରେ କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
ଘାସ ଗାଲିଚା ପରିବେଷ୍ଟିତ ୪ଏକରର ଏହି ଉଦ୍ୟାନରେ ଶୋଭା ବଢ଼ାଉଛି କଳାକୃତି। ପୂର୍ବରୁ ଥିବା ପଥର ପାହାଡ଼କୁ କାଟି ନିର୍ମିତ ହୋଇଥିବା ଖୋର୍ଧାଗଡ଼ ରାଜପ୍ରାସାଦର ପ୍ରତିକୃତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହା ଉପରେ ହାତୀକୁ ଚିତ୍ରଣ କରାଯାଇଥିବା ବେଳେ ସମ୍ମୁଖରେ ନାଚ ମଣ୍ଡପ ରହିଛି। ଏହି ମଞ୍ଚରେ ପ୍ରତ୍ୟେକ ରବିବାର ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସ୍ମୃତି କମିଟି ଟ୍ରଷ୍ଟ୍ର ସମ୍ପାଦକ ସଂଜୟ ପଟ୍ଟନାୟକ କହିଛନ୍ତି। ଉଦ୍ୟାନ ମଧ୍ୟରେ କୃତ୍ରିମ ଝରଣା ଏବଂ ନଈ ରହିଥିବା ବେଳେ ଏହା ମଧ୍ୟରେ ବୋଟିଂର ବ୍ୟବସ୍ଥା ରହିଛି। ଏଥିସହ ପୁରୁଣା ସ୍କୁଟର, ନାନୋ କାର୍, ଶଗଡ଼ ଚକକୁ କଳାତ୍ମକ ଛାପ ଦେଇ ନୂଆ ଢଙ୍ଗରେ ସେଲ୍ଫି ଜୋନ୍ କରାଯାଇଛି। ୯ଶହ ମିଟରର ପାଦଚଲା ରାସ୍ତା ରହିଥିବା ବେଳେ ଘାସ ଗାଲିଚା ପାଇଁ ୯୦ଲକ୍ଷ ଟଙ୍କା ଖର୍ଚ ହୋଇଛି। ଜଳ ଫୁଆରାରେ ଆଲୁଅ ଓ ପାଣିର ଖେଳ ଦେଖିବାକୁ ମିଳୁଛି। ଉଦ୍ୟାନ ପ୍ରତ୍ୟେକଦିନ ଭୋର ୫ଟାରୁ ୮ଟା ଏବଂ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।