ବାଣିଜ୍ୟ

ଦ୍ରୁତତମ ବିକାଶଶୀଳ ସହର ନିର୍ମାଣ କ୍ଷେତ୍ରରେ ବିଶ୍ୱର ଶୀର୍ଷ ୧୦ ସ୍ଥାନ ମଧ୍ୟରେ ଭାରତ

ଆଓରି-ନୂଆଦିଲ୍ଲୀ(୭/୧୨) : ଆଗାମୀ ଦୁଇ ଦଶନ୍ଧିରେ ଭାରତ ଦ୍ରୁତତମ ବିକାଶଶୀଳ ସହର ନିର୍ମାଣ କ୍ଷେତ୍ରରେ ବିଶ୍ୱର ଶୀର୍ଷ ୧୦ଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଅକ୍ସଫୋର୍ଡ ଇକୋନୋମିକ୍ସ ରିପୋର୍ଟରେ ଏ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଅକ୍ସଫୋର୍ଡର ଗ୍ଲୋବାଲ ସିଟିଜ ରିସର୍ଚ୍ଚର ମୁଖ୍ୟ ରିଚାର୍ଡ ହଲ୍ଟ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ହୀରା ପ୍ରକ୍ରିୟାକରଣ ଓ ବ୍ୟବସାୟ କ୍ଷେତ୍ରରେ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଗୁଜରାଟର ସୁରଟ ସହର  ବିକାଶ କ୍ଷେତ୍ରରେ ୨୦୩୫ ସୁଦ୍ଧା ଦ୍ରୁତତମ ହେବ, ଯାହାକି ଅନ୍ୟ ସହର ତୁଳନାରେ ପ୍ରାୟ ୯%  ଅଧିକ ହେବ। ଏହା ବ୍ୟତୀତ ଦ୍ରୁତତମ ବିକାଶ କ୍ଷେତ୍ରରେ ଶୀର୍ଷ ୧୦ ସ୍ଥାନରେ ରହିଥିବା ଭାରତର ଅନ୍ୟ ସହରଗୁଡିକ ହେଲା ଆଗ୍ରା, ବେଙ୍ଗାଲୁରୁ, ହାଇଦ୍ରାବାଦ, ନାଗପୁର, ତିରୁପ୍ପୁର, ରାଜକୋଟ, ତିରୁଚିରାପଲ୍ଲୀ, ଚେନ୍ନାଇ ଓ ବିଜୟୱାଡା ପ୍ରମୁଖ। ତେବେ ବିଶ୍ୱର ବଡ଼ ବଡ଼ ମେଟ୍ରୋପଲିଟାନ ସହର ତୁଳନାରେ ଭାରତର ସହରାଞ୍ଚଳର ଆର୍ଥିକ ଅଭିବୃଦ୍ଧି ନଗଣ୍ୟ ରହିବ ବୋଲି ରିପୋର୍ଟରେ କୁହାଯାଇଛି। ୨୦୩୫ ସୁଦ୍ଧା ଏବଂ ବର୍ତ୍ତମାନର ଶୀର୍ଷ ସହର ତାଲିକାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି କୁହାଯାଇଛି।  ଏଥିରେ କୁହାଯାଇଛି ଯେ, ନ୍ୟୁୟର୍କ, ଟୋକିଓ, ଲସ୍‌ ଆଞ୍ଜେଲ୍ସ, ଲଣ୍ଡନ ନିଜର ସ୍ଥାନ ବଜାୟ ରଖିବେ। କିନ୍ତୁ ପ୍ୟାରିସ, ଚିକାଗୋକୁ ପଛରେ ପକାଇ ଚାଇନାର ସାଂଘାଇ ଓ ବେଜିଂ ଆଗକୁ ଉଠି ଆସିବ। ସେହିପରି ଶେନଝେନ, ଗୁଆଙ୍ଗଝୌ ମଧ୍ୟ ଶୀର୍ଷ ୧୦ ତାଲିକାରେ ସ୍ଥାନ ପାଇବ।



			
		

Related Articles

Leave a Reply

Your email address will not be published. Required fields are marked *

Back to top button