ରାଜ୍ୟ

୧୫ ଦିନ ମଧ୍ୟରେ ବଦଳିବ ଅଣ ଓଡ଼ିଆ ନାମଫଳକ

ଆଜିର ଓଡିଶା (ତା୫|୪)–  ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। ଏହାକୁ ପୁରୀ ଜିଲାରେ କଡ଼ାକଡି ଭାବେ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟଠାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୫ ଦିନ ମଧ୍ୟରେ ସହରର ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥାରେ ଲାଗିଥିବା ନାମଫଳକକୁ ବଦଳାଇ ଓଡ଼ିଆରେ ଲେଖିବା ପାଇ ନିଷ୍ପତ୍ତି ହୋଇଛି।  ଏଥିଲାଗି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଆସନ୍ତା ରବିବାର ପୁରୀ ପୌରାଞ୍ଚଳର ସମସ୍ତ ଓ୍ବାର୍ଡରେ ସଚେତନତା ଶୋଭାଯାତ୍ରା କରାଯିବାକୁ ସ୍ଥିର ହୋଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ କହିଥିଲେ ଯେ, ଓଡ଼ିଆରେ ନାମଫଳକ ଲେଖିବା ଆମର ସ୍ବାଭିମାନର କଥା। ଏଥିଲାଗି ପ୍ରତ୍ୟେକ ବ୍ୟକ୍ତିର ସ୍ବାଭିମାନ ରହିବା ଆବଶ୍ୟକ। ଦଣ୍ଡ ଓ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଓଡ଼ିଆରେ ନାମଫଳକ ଲେଖାଯାଇପାରିବ, ଏଥିରେ ମୋର ବିଶ୍ୱାସ ନାହିଁ। କିନ୍ତୁ ଯଦି ମଣିଷର ସ୍ବାଭିମାନ ନ ଥିବ ସେତେବେଳେ କାର୍ଯ୍ୟାନୁଷ୍ଠାନ ବଳରେ ଏହା କରିବାକୁ ପଡିବ। ତେଣୁ ମୋର ବିଶ୍ୱାସ ରହିଛି ସମସ୍ତଙ୍କର ସ୍ବାଭିମାନ ରହିଛି। ସମସ୍ତେ ଓଡ଼ିଆରେ ଲେଖିବେ। ଏହି ବୈଠକରେ ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ, ଉପଜିଲାପାଳ ମଧୁସୂଦନ ଦାସ, ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି, ପୌର ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୌରସଂସ୍ଥାର ସମସ୍ତ କାଉନ୍‌ସିଲର, ହୋଟେଲ ମାଲିକ ସଂଘ ଏବଂ ବିଭିନ୍ନ ବ୍ୟବସାୟିକ ସଂଗଠନର କମକର୍ତ୍ତାମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button