ଜାତୀୟମନୋରଞ୍ଜନ

ମୁଁ କଳ୍‌କୀ ଅବତାର, ପୃଥିବୀବାସୀଙ୍କ ଉଦ୍ଧାର ପାଇଁ ମୋର ଜନ୍ମ

ଆ.ଓ.ରି(ତା୨୦|୫)-ଅଫିସର୍ ବାବୁଙ୍କ କଳ୍‌କୀ ଥିଓରି। ମନୁଷ୍ୟ ନୁହେଁ ବରଂ ସେ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ବୋଲି କହୁଛନ୍ତି। ତେଣୁ ଗତ ୬ ମାସ ଧରି ବାବୁ ଜଣଙ୍କ ଅଫିସ ଯାଉନାହାନ୍ତି। ଘରେ ରହି ବିଶ୍ୱର ହିତ ପାଇଁ ସାଧନା କରୁଛନ୍ତି।

ପଢ଼ନ୍ତୁ ଏପରି ଜଣେ ଅଜବ ଇଞ୍ଜିନିୟରଙ୍କ କାହାଣୀ…

ମୁଁ ଭଗବାନ ବିଷ୍ଣୁଙ୍କ ଦଶମ ତଥା କଳ୍‌କୀ ଅବତାର। ପୃଥିବୀବାସୀଙ୍କୁ ଉଦ୍ଧାର କରିବା ପାଇଁ ମୋର ଜନ୍ମ। ତେଣୁ ମୁଁ ଅଫିସ୍ ଯିବି ନାହିଁ। ଏପରି କିଛି ବିଭ୍ରାନ୍ତକର କଥା କହୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗୁଜରାଟ ସରକାରଙ୍କ ଅଧିନରେ କାମ କରୁଥିବା ଜଣେ ଇଞ୍ଜିନିୟର୍। ରାଜକୋଟରେ ନିଜ ପରିବାର ସହ ରହନ୍ତି ରମେଶ ଚନ୍ଦ୍ର ଫେପାର। ନିଜକୁ କଳ୍‌କୀ ଅବତାର ଭାବେ ଆଖ୍ୟା ଦେଇ ଏବେ ସେ ଅଫିସ୍ ଯାଉନାହାନ୍ତି।

ଆସନ୍ତୁ ଶୁଣିବା ଆଉ କଣ କହୁଛନ୍ତି ସେ…

ବଡ଼ଦୋରାର ସର୍ଦ୍ଦାର ସରୋବର ନିଗମରେ ସୁପରିଟେଣ୍ଡେଣ୍ଟ୍‌ ଇଞ୍ଜିନୟର ଭାବେ କାମ କରନ୍ତି ରମେଶ। ଗତ ୬ ମାସରୁ ଅଧିକ ସମୟ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ସେ। ଭିନ୍ନ ଭିନ୍ନ ବାହାନା ଦର୍ଶାଇ ଅଫିସ୍ ଯାଉନଥିଲେ ରମେଶ। ତେବେ ଏନେଇ ବାରମ୍ବାର ତାଙ୍କୁ ନୋଟିସ୍ ଜାରି କରିଥିଲା ବିଭାଗ। ଯାହାର ଜବାବ ସମସ୍ତଙ୍କୁ କରିଦେଇଥିଲା ଚକିତ।

ସେ ଭଗବାନ ବିଷ୍ଣୁଙ୍କ ଅବତାର। ଅଧିକରୁ ଅଧିକ ସାଧନା ପାଇଁ ତାଙ୍କୁ ସମୟ ଆବଶ୍ୟକ। ତେଣୁ ସେ ଅଫିସ୍ ଯାଇପାରିବେନି। କେବଳ ଏତିକି ନୁହଁ, ପୂର୍ବରୁ ରାମ ଓ କୃଷ୍ଣଙ୍କ ଅବତାର ଭାବେ ଜନ୍ମ ମଧ୍ୟ ସେ ନେଇଛନ୍ତି। ରମେଶ ଯେ କେବଳ ତଥା କଥିତ କଳ୍‌କୀ ଅବତାର ତା ନୁହେଁ, ତାଙ୍କ ମାଆ ଅହଲ୍ୟାବାଈ ଏବଂ ପତ୍ନୀ ଲକ୍ଷ୍ମୀଙ୍କ ଅବତାର ବୋଲି ସେ କହିଛନ୍ତି।

ଇଞ୍ଜିନିୟର ରମେଶଙ୍କ ପ୍ରତିକ୍ରିୟା ସତରେ ହାସ୍ୟାସ୍ପଦ। ଏକବିଂଶ ଶତାବ୍ଦିରେ ଜଣେ ଉଚ୍ଚ ଶିକ୍ଷିତଙ୍କ ଏଭଳି ପ୍ରତିକ୍ରିୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Related Articles

Leave a Reply

Your email address will not be published. Required fields are marked *

Back to top button