ଜିଲ୍ଲା

ଗ୍ରୀଷ୍ମର ତାତିରେ ଡହଳ ବିକଳ ଜନଜୀବନ

ଆଓରି-ଭୁବନେଶ୍ୱର(୧୯/୬): ଜୁନ୍‌ରେ ଟାଇଁ ଟାଇଁ ଖରା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଳାଉଛି। ତାତିରେ ଡହଳବିକଳ ହେଉଛନ୍ତି ଲୋକେ। କଲବଲ ହେଉଛନ୍ତି ଜୀବଜନ୍ତୁ। ପାଣି ମୁନ୍ଦାଏ ବି ମିଳୁନି। ରାସ୍ତାଘାଟ ସବୁଠି କେବଳ ମରୀଚିକା ଭ୍ରମ ସୃଷ୍ଟି ହୋଇଛି। ଲଗାତାର ଦୁଇ ଦିନ ପରି ଆଜି ମଧ୍ୟ ଏଭଳି ସ୍ଥିତି ଜାରି ରହିଥିଲା।

ଗତ ଦୁଇ ଦିନ ଅପେକ୍ଷା ଆଜି ଗୁଳୁଗୁଳିର ମାତ୍ରା ଅଧିକ ରହିଥିଲା। ଖରାର ପ୍ରକୋପ ଯେତିକି ରହିଥିଲା ତା’ଠାରୁ ଅଧିକ ଗୁଳୁଗୁଳି ହୋଇଥିବାରୁ ଲୋକଙ୍କ ଯନ୍ତ୍ରଣା ବଢ଼ିଯାଇଥିଲା। ସକାଳ ୯ଟାରୁ ତାତିର ପ୍ରକୋପ ବଢ଼ିଚାଲିଥିଲା। ଦିନ ଯେତିକି ବଢ଼ିଥିଲା ରାସ୍ତାଘାଟ ସେମିତି ଖାଁ ଖାଁ ଦେଖିବାକୁ ମିଳିଥିଲା। କାଁ ଭାଁ ଲୋକେ ଯିବା ଆସିବା କରୁଥିଲେ। ମଧ୍ୟାହ୍ନ ବେଳକୁ ମୁଖ୍ୟ ରାସ୍ତାରେ କେତେବେଳେ କେମିତି ଗୋଟିଏ ଗାଡ଼ି ଗଡ଼ୁଥିବା ଦେଖିବାକୁ ମିଳିଥିଲା। ଜାତୀୟ ରାଜପଥ ତଥା ରସୁଲଗଡ଼ ଛକରୁ ଖଣ୍ଡଗିରି ପର୍ଯ୍ୟନ୍ତ ରାସ୍ତାରେ ଯେମିତି ଲୋକଶୂନ୍ୟ ହୋଇଯାଇଥିଲା।

ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରାସ୍ତାରେ ସେଭଳି ଗାଡ଼ି ବି ଦେଖିବାକୁ ମିଳି ନ ଥିଲା। ଯେଉଁମାନେ ବି ଯାଉଥିଲେ ସେମାନଙ୍କ ଗାଡ଼ିରେ ଏସି ହିଁ ଲାଗିଥିଲା। ଅଟୋଗୁଡ଼ିକ ବି ଖାଲି ରହିଥିଲା। ଲୋକେ ଏସି କାର୍‌ ଭଡ଼ା କରି ଯାଉଥିଲେ ପଛେ ଅଟୋରେ ଯାଉ ନ ଥିଲେ। ୪୨.୨ ଡିଗ୍ରି ଖରାରେ ୫ରୁ ଅଧିକ ବ୍ୟକ୍ତି ଅଂଶୁଘାତର ପଡ଼ିଥିଲେ। ସହରରେ ଥିବା ବିଭିନ୍ନ ମେଡିକାଲରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ଜୁନ୍‌ ତୃତୀୟ ସପ୍ତାହରେ ରାଜଧାନୀରେ ଏଭଳି ତାତି ଅନୁଭୂତ ହେବା ବିରଳ ଘଟଣା ବୋଲି କୁହାଯାଉଛି। ଲଗାତାର ଭାବେ ତାପମାତ୍ରା ୪୨ ଡିଗ୍ରି ଉପରେ ରହୁଛି। ଗତକାଲି ୪୨.୩ ଡିଗ୍ରି ରହିଥିବା ବେଳେ ଆଜି ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ୨୦୧୨ ଜୁନ୍‌ ୪ରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୯ ଡିଗ୍ରିରେ ପହଞ୍ଚିଥିଲା। ୨୦୦୫ ଜୁନ୍‌ ୧୨ରେ ୪୬.୩ ଡିଗ୍ରି ରହିଥିଲା। ଏଥର କିନ୍ତୁ କିଛିଟା ଭିନ୍ନତା ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାର ତାପମାତ୍ରା ସବୁବେଳେ ଅଧିକ ରହୁଥିବା ବେଳେ ଗତ ଦୁଇ ଦିନ ହେଲା ବିପରିତ ଘଟଣା ଘଟୁଛି। ରାଜଧାନୀର ତାପମାତ୍ରା ୪୨ ଡିଗ୍ରି ରହୁଥିବା ବେଳେ ପଶ୍ଚିମ ଓଡ଼ିଶାରେ କିନ୍ତୁ ତାପମାତ୍ରା ୪୨ ଡିଗ୍ରି ତଳେ ରହୁଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ଯେ ଆହୁରି ୪୮ ଘଣ୍ଟା ରାଜଧାନୀବାସୀଙ୍କୁ କଲବଲ କରିବ ତାତି। ମଙ୍ଗଳବାର ସହରର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ରହିବ। କିଛି ସମୟ ପାଇଁ ଆକାଶ ମେଘାଚ୍ଛନ୍ନ ରହିବା ସହ କାଳବୈଶାଖୀ ହୋଇପାରେ। ବଜ୍ରପାତର ବି ଆଶଙ୍କା ରହୁଛି। ବୁଧବାର ମଧ୍ୟ ୪୦ ଡିଗ୍ରି ଯାଏ ତାପମାତ୍ରା ରହିବ।

 

Related Articles

Leave a Reply

Your email address will not be published. Required fields are marked *

Back to top button