ରାଜ୍ୟ

ସ୍ୟାଟ୍‌ରେ ପଦବୀ ଖାଲିଥିବାରୁ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

ଆଓରି-ଭୁବନେଶ୍ଵର(୧୫/୦୨) : ଷ୍ଟେଟ୍‌ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସ୍ୟାଟ୍‌)ରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ  ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି। ଏହାକୁ ନେଇ ଗୁରୁବାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ଉପରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କ’ଣ ପାଇଁ ପୂର୍ବ ଆଦେଶ କାର୍ଯ୍ୟକାରୀ କରାଯାଇନାହିଁ ସେ ସମ୍ପର୍କରେ ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଥିଲେ। ମାତ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ହାଇକୋର୍ଟଙ୍କ ଆଦେଶ ବିରୋଧରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ସୁପ୍ରିମକୋର୍ଟକୁ ସରକାର ଯିବା ନେଇ ଅବଗତ କରାଯାଇ ନ ଥିବାରୁ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆସନ୍ତା ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରାଯିବ। ଏହାର ଠିକ୍‌ ପରଦିନ ଅର୍ଥାତ୍‌ ମଙ୍ଗଳବାର ହାଇକୋର୍ଟରେ ଏହାର ଶୁଣାଣି ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଝାବେରୀ ଓ ବିଚାରପତି ଜଷ୍ଟିସ କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ସ୍ୟାଟ୍‌ରେ ୮ ସଦସ୍ୟ ପଦବୀ ଖାଲି ପଡ଼ିଥିବାବେଳେ ଏବେ ୨ ଜଣ ସଦସ୍ୟଙ୍କୁ ନେଇ ମାମଲାର ଶୁଣାଣି କରାଯାଉଛି। ଫେବୃୟାରୀ ୨୭ରେ ୨ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅବସରଗ୍ରହଣ କରିବେ। ଫଳରେ ଫେବୃୟାରୀ ୨୭ ପରଠାରୁ ସ୍ୟାଟ୍‌ ଜଣେ ସଦସ୍ୟ ବିଶିଷ୍ଟ ହୋଇଯିବ।  ଏଭଳି ପରିସ୍ଥିତି ଉପୁଜିବାକୁ ଯାଉଥିବାବେଳେ ସରକାର ପଦବୀ ପୂରଣ ନିମନ୍ତେ ଆଗଭର ନ ହେବାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଆଡ୍‌ଭୋକେଟ ବୁଦ୍ଧଦେବ ରାଉତରାୟ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button