April 18, 2024

ଭାରତ-ପାକ୍ ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ; ପାକ୍‌ ଏବଂ ଭାରତରେ ହାଇଆଲର୍ଟ

1 min read

ଆଓରି-ନୂଆଦିଲ୍ଲୀ(୨୭/୦୨) : ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତ ବାୟୁସେନାର ଏୟାରଷ୍ଟ୍ରାଇକ୍ । ଏହାପରେ ଗତକାଲିଠାରୁ ପାକ୍ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିକାଣ୍ଡ ଚଳାଇଛି । ଏହାପରେ ପାକିସ୍ତାନର ଏୟାରକ୍ରାଫ୍ଟ ଭାରତ ଭିତରକୁ ଅନୁପ୍ରବେଶ କରିଥିଲା । କିନ୍ତୁ ଭାରତୀୟ ବାୟୁସେନା ଏହାର କଡା ଜବାବ୍ ଦେବା ପରେ ବିମାନ ଦୁଇଟି ଫେରିଯାଇଛି । ପାକ୍‌ର ଏହି କାରନାମା ପରେ ଜମ୍ମୁକଶ୍ମୀର ଓ ପଞ୍ଜାବ ଏୟାରପୋର୍ଟରେ ବିମାନ ଗୁଡିକୁ ବାତିଲ କରିଦିଆଯାଇଛି । ଅମୃତସର ଏୟାରପୋର୍ଟ ମଧ୍ୟ ଖାଲି କରାଯାଇଛି ।

ଜମ୍ମୁକଶ୍ମୀରର ଲେହ, ଜମ୍ମୁ, ଶ୍ରୀନଗର, ପଠାନକୋଟ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି । ଏଠାରେ ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଛି । ଉତ୍ତରାଖଣ୍ଡର ଡେରାଡୁନ ଓ ହିମାଚଳପ୍ରଦେଶର ଧର୍ମଶାଳା ଏୟାରପୋର୍ଟ ମଧ୍ୟ ବନ୍ଦ ରହିଛି । ଏହାଯୋଗୁ ଅନେକ ଅନ୍ତର୍ରାଷ୍ଟ୍ରୀୟ ବିମାନ ସେବା ପ୍ରଭାବିତ ହୋଇଛି । ଅନେକ ବିମାନର ଗତିପଥ ପରିବର୍ତ୍ତନ କରାଯାଉଛି । ସେପଟେ ପାକିସ୍ତାନରେ ମଧ୍ୟ ବିମାନ ସେବା ପ୍ରଭାବିତ ହୋଇଛି । ଲାହୋର, ମୁଲତାନ, ଫୈସଲାବାଦ, ସିଆଲକୋଟ ଓ ଇସଲାମାବାଦରେ ବିମାନ ସେବାକୁ ତୁରନ୍ତ ବନ୍ଦ କରାଯାଇଛି । ସେପଟେ ପାକିସ୍ତାନୀ ଜେଟ୍ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରି ଏଲଓସି ନିକଟରେ ୪ଟି ସ୍ଥାନରେ ବିସ୍ଫୋରକ ପକାଇଛି ।

ସୀମାରେ ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପୁଳ ଔଷଧ ଗଚ୍ଛିତ ରଖାଯାଇଛି । ଏପରିକି ହସ୍ପିଟାଲର ଡାକ୍ତରଙ୍କ ଛୁଟି ବାତିଲ କରିଦିଆଯାଇଛି । ପାକ୍ ବାୟୁସେନା ଭାରତ ଭିତରକୁ ଅନୁପ୍ରବେଶ କରିବା ପରେ ଭାରତୀୟ ବାୟୁସେନାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପାଇଲଟଙ୍କୁ ସତର୍କ ରହିବାକୁ କୁହାଯିବା ସହ ନିର୍ଦ୍ଦେଶର ଦୁଇ ମିନିଟରେ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.