ତାତିରେ ଛଟପଟ ହେଉଛି ସାରା ଓଡ଼ିଶା
1 min read
ଆ.ଓ.ରି(ତା୮|୫)-
ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୪.୪ ସହ ଝାରସୁଗୁଡ଼ା ଆଜି ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ତା’ ତଳକୁ ଥିଲା ହୀରାକୁଦ, ସମ୍ବଲପୁର ଓ ବଲାଙ୍ଗିର। ତେବେ କାଲିଠୁ ପୁଣି କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଓଡ଼ିଶା ସମେତ ୨୦ଟି ରାଜ୍ୟକୁ ଝଡ଼ ତୋଫାନ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ଆକାଶରୁ ନିଆଁ ଖସୁଛି। ୪୫ ଛୁଇଁବାକୁ ବସିଲାଣି ପାରଦ। ଖରା ଏତେ ଯେ, ଦିନ ୧୦ଟା ବେଳକୁ ରାସ୍ତାଘାଟ ଶୂନଶାନ, ହାଟ ବଜାର ଖାଁ ଖାଁ। କେବଳ ଟିଟିଲାଗଡ଼ ନୁହେଁ ସାରା ରାଜ୍ୟର ହଂସା ଉଡ଼ାଉଛି ଗ୍ରୀଷ୍ମ ପ୍ରବାହ। ସହରରୁ ଗାଁ, ଉପକୂଳରୁ ଆଭ୍ୟନ୍ତରୀଣ, ସବୁଠି ଅସମ୍ଭବ ତାତି। ବାୟୁମଣ୍ଡଳରେ ଆଦ୍ରତା ବଢିଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଅଂଶୁଘାତ ଆଶଙ୍କା ବୃଦ୍ଧି ପାଇଛି। ଏଯାଏଁ ସରକାରୀ ଭାବେ ୧୬ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ହୋଇଛି।