ବୁର୍ଲା ମେଡିକାଲରେ ଭୀଷଣ ଅଗ୍ନିକାଣ୍ଡ
1 min read
ଆଓରି-ଭୁବନେଶ୍ଵର(୨୦/୦୯) : ବୁର୍ଲାସ୍ଥିତ ଭୀମସାରରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟ୍ ଯୋଗୁ ମେଡିକାଲର ନେଫ୍ରୋଲୋଜି ବିଭାଗ ଡୟାଲିସିସ ୟୁନିଟ୍ ସଂଲଗ୍ନ ବ୍ୟାଟେରି କକ୍ଷରେ ନିଆଁ ଲାଗିଯାଇଛି। ଫଳରେ ବ୍ୟାଟେରି କକ୍ଷଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ବୈଦ୍ୟୁତିକ ପ୍ୟାନେଲ ବୋର୍ଡରୁ ଶର୍ଟସର୍କିଟ୍ ହେବା ଫଳରେ ଇନଭର୍ଟରର ବ୍ୟାଟେରୀଗୁଡ଼ିକରେ ନିଆଁ ଲାଗିଯାଇଥିଲା। ନିକଟରେ ଆଇସିୟୁ ଏବଂ ଏଚଡିୟୁ ଭଳି ସମ୍ବେଦନଶୀଳ ୟୁନିଟ୍ ରହିଥିବାବେଳେ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ। କିନ୍ତୁ ନିଆଁର ପ୍ରକୋପ ଏତେ ରହିଥିଲା ଯେ ୟୁନିଟ୍ରେ ଲାଗିଥିବା ପଙ୍ଖା ବଙ୍କା ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ଏଚଡିୟୁରେ ଧୂଆଁ ପଶିଯିବାରୁ ରୋଗୀମାନେ ଅଣନିଃଶ୍ଵାସୀ ହୋଇପଡ଼ିଥିଲେ। ତାଙ୍କ ସମ୍ପର୍କୀୟମାନେ ରୋଗୀଙ୍କୁ ସେଠାରୁ ଉଦ୍ଧାର କରି ଅନ୍ୟତ୍ର ନେଇଯାଇଥିଲେ। ଆଇସିୟୁ ଭିତରେ ଧୂଆଁ ପ୍ରବେଶ କରି ନ ଥିଲେ ଆଖପାଖ ଅଞ୍ଚଳ ପର୍ଯ୍ୟନ୍ତ ଧୂଆଁ ବ୍ୟାପିଯାଇଥିଲା।
ନିଆଁ ଲାଗିବାର କିଛି ସମୟ ପରେ ପାଖାପାଖି ସକାଳ ୭ଟାରୁ ସାଢ଼େ ୭ଟା ମଧ୍ୟରେ ବାହାରକୁ ଧୂଆଁ ବାହାରିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡ଼ିଥିଲା। ଏହା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ତେବେ ବ୍ୟାଟେରୀଗୁଡ଼ିକରେ ନିଆଁ ଲାଗିବା ପରେ ଯଦି ବିସ୍ଫୋରଣ ଘଟିଥାନ୍ତା, ତା’ହେଲେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଥିଲା। ଅଗ୍ନିକାଣ୍ଡରେ ଅନେକ କ୍ଷୟକ୍ଷତି ହୋଇଥିଲେ ତାହାର ପରିମାଣ ଠିକ୍ ଭାବେ ଆକଳନ କରାଯାଇପାରି ନାହିଁ। ଡାୟାଲିସିଟ ୟୁନିଟ୍ର ଯନ୍ତ୍ରପାତିଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହୋଇ ନ ଥିଲେ ହେଁ ଆଗାମୀ କିଛିଦିନ ପାଇଁ ଏହି ୟୁନିଟ୍ ବନ୍ଦ ରଖାଯିବ ବୋଲି ସୂଚନା ମିଳିଛି।