ବ୍ୟକ୍ତିତ୍ଵ

ପରଲୋକରେ ଗୀତା କପୁର

ଆ.ଓ.ରି(୨୭|୫)-ପାକିଜା’ ଫିଲ୍ମ  ଅଭିନେତ୍ରୀ ଗୀତା କପୁରଙ୍କର  ୬୭ ବର୍ଷ ବୟସରେ ଶନିବାର ଦିନ ଦେହାନ୍ତ ହୋଇଛି। ଗୀତାଙ୍କ ପିଲାମାନେ ତାଙ୍କୁ ଅଲଗା କରି ଦେଇଥିବାର ରିପୋର୍ଟ ଗତବର୍ଷ ପ୍ରକାଶ ପାଇଥିଲା। ପରେ ତାଙ୍କୁ ଏକ  ବୃଦ୍ଧାଶ୍ରମରେ ରଖା ଯାଇଥିଲା। ଶନିବାର ପୂର୍ବାହ୍ନ ୯ଟା ବେଳେ ଏହି ବୃଦ୍ଧାଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ।

ଚଳଚ୍ଚିତ୍ର ନିର୍ମାତା ଅଶୋକ ଗୀତାଙ୍କ ମୃତ୍ୟୁ ଖବର ସୂଚନା ଦେଇ କହିଛନ୍ତି, ଆମେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହେଲୁ । ବର୍ଷେ ପୂର୍ବରୁ ତାଙ୍କ ଦେହ ଖରାପ ହୋଇଥିବା ବେଳେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନିଜ ପିଲାମାନଙ୍କୁ ଅପେକ୍ଷା କରିଥିଲେ ମଧ୍ୟ କେହି ବି ତାଙ୍କୁ ଡ଼ାକ୍ତରଖାନାକୁ ଦେଖା କରିବା ପାଇଁ ଆସି ନଥିଲେ । ଗତ ସପ୍ତାହେ ହେଲା ସେ ନିଜ ପିଲାମାନଙ୍କୁ ବହୁତ  ମନେ ପକାଇବା ସହ ତାଙ୍କ ଶାରୀରିକ ଅବସ୍ଥା କ୍ରମଶଃ ଖରାପ ହେବାରେ ଲାଗିଥିଲା । କିଛି ଦିନ ଏପରି ରହିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଗୀତା କପୁର ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ‘ପାକିଜା’ ଫିଲ୍ମରେ ସେ ରାଜକୁମାରଙ୍କ ଦ୍ୱିତୀୟ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ଗୀତାଙ୍କ ପୁଅ ରାଜା ଜଣେ କୋରିଓ ଗ୍ରାଫର ହୋଇଥିବା ବେଳେ ତାଙ୍କ ଝିଅ ବିମାନ ପରିଚାରିକା ଭାବେ କାର୍ଯ୍ୟ କରନ୍ତି।  ନିଜେ ରାଜା ଗୀତାଙ୍କୁ ଆଣି ବୃଦ୍ଧାଶ୍ରମରେ ଛାଡ଼ିଦେଇ ଯାଇଥିଲେ। ସେହିଦିନଠାରୁ ଅଶୋକ ପଣ୍ଡିତ ଓ ରମେଶ ତୋରନୀ ଡାକ୍ତରଖାନାର ବିଲ୍‌ ଭରିବା ସହିତ ତାଙ୍କର ଯତ୍ନ ନେଉଥିଲେ।

ଗୀତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ବଲିଉଡ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button