ଅବ୍ୟବସ୍ଥା ମଧ୍ୟରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
1 min read
ଆ.ଓ.ରି(ତା୨|୬)-୬୩ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୧୧ଜଣ ଡାକ୍ତର। ତା’ ସାଙ୍ଗକୁ ବେଡ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ବି ନାହିଁ। ଫଳରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ନିକଟରେ ୧୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନୂଆ କୋଠା ବି କାର୍ଯ୍ୟକ୍ଷମ ହୋଇନି। ଫଳରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି। ଆଉ ବିଭିନ୍ନ ଘରୋଇ ଡାକ୍ତରଖାନା ଆଡ଼କୁ ମୁହାଉଛନ୍ତି ଏମାନେ।
ଏପରିକି ବାରଣ୍ଡାରେ ଗଡ଼ୁଛନ୍ତି ରୋଗୀ। ଅବସ୍ଥା ଏପରି ଯେ, ନବଜାତ ଶିଶୁ ଓ ଗର୍ଭବତୀ ମହିଳାମାନେ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି। ଆଉ କେଉଁଠି ଗୋଟିଏ ଡାକ୍ତରଙ୍କ ପାଖରେ ଲମ୍ବା ଲାଇନ୍ ଲାଗିଛି। ଏହି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ।
ଭିତ୍ତିଭୂମି ଅଭାବ ଯୋଗୁଁ ଏଠାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା। ବିଭିନ୍ନ ବିଭାଗର ଡାକ୍ତର ପଦବୀ ଖାଲି ରହିଛି। ଗତ ମାର୍ଚ୍ଚ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ୧୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏକ ନୂଆ କୋଠାର ଉଦ୍ଘାଟନ କରିଥିଲେ। କିନ୍ତୁ ଆବଶ୍ୟକ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିନି।