ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି) ପରିଷଦର ୨୭ ତମ ବୈଠକ
1 min read
ଆଓରି(ତା୪|୫)-ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି) ପରିଷଦର ୨୭ ତମ ବୈଠକ ଶୁକ୍ରବାର ଭିଡିଓ କନ୍ଫରେନ୍ସି ଜରିଆରେ ହେବ। ଏହି ବୈଠକର ଏଜେଣ୍ଡାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସ୍ଥାନିତ କରାଯାଇଛି। ଏଜେଣ୍ଡାରେ ସବୁଠାରୁ ଆଗରେ ରହିଛି ଚିନି। ଏହି ଅତ୍ୟାବଶ୍ୟକ ସାମଗ୍ରୀକୁ ନେଇ ଏକ ବଡ ନିଷ୍ପତ୍ତି ଶୁକ୍ରବାର ନିଆଯାଇପାରେ। ଚିନି ଉପରେ ୫% ସେସ୍ ଲଗାଇବା ପାଇଁ ପରିଷଦ ବିଚାର କରିପାରେ ବୋଲି ସୂତ୍ରରୁ ଜଣାଯାଇଛି।
ସମ୍ପ୍ରତି ଜିଏସ୍ଟି କ୍ଷତିପୂରଣ ସେସ୍ ଲାଗୁଥିବାବେଳେ ଆଉ ଏକ ସେସ୍ ଆସିପାରେ ବୋଲି ଉକ୍ତ ସୂତ୍ରରୁ ସୂଚନା ମିଳିଛି। ଚିନି ସେସ୍ ଲାଗୁ ହେଲେ ଏହି ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବ, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ। ବୁଧବାର କ୍ୟାବିନେଟ୍ ବୈଠକରେ ଆଖୁଚାଷୀଙ୍କ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆଖୁଚାଷୀଙ୍କୁ ସରକାର ସିଧାସଳଖ ୧,୫୪୦ କୋଟି ଟଙ୍କା ପ୍ରଦାନ କରିବେ। ଯେଉଁ ଆଖୁଚାଷୀମାନେ ଚିନି କଳଗୁଡିକରୁ ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି ସେମାନଙ୍କ ବ୍ୟାଙ୍କ ଖାତାକୁ କୁଇଣ୍ଟାଲ୍ ପିଛା ସରକାର ୫.୫ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ। ଚିନି କଳଗୁଡିକ ଉପରେ ଆଖୁଚାଷୀମାନଙ୍କର ପାଖାପାଖି ୨୦,୦୦୦ କୋଟି ଟଙ୍କା ବକେୟା ରହିଛି। ବିଶେଷକରି ବଜାର ମାନ୍ଦା ରହିବା ସହ ଚିନି ଦରରେ ବଡ ଧରଣର ହ୍ରାସ ଯୋଗୁ ମିଲ୍ ମାଲିକମାନେ ବକେୟାରାଶି ପରିଶୋଧ କରିବା ପାଇଁ ଅସମର୍ଥ ହୋଇଛନ୍ତି। ଏଭଳି କ୍ଷେତ୍ରରେ ଏହାର କିଛି ଅଂଶକୁ ଭରଣା କରିବା ପାଇଁ ସରକାର ଏହି ୧୫,୪୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ନାଟକ ଭଳି ରାଜ୍ୟରେ ବହୁଳ ପରିମାଣରେ ଚିନି ଉତ୍ପାଦନ ହେଉଥିବା ବେଳେ ସେଠାରେ ଆଖୁଚାଷକୁ ନେଇ ଯେଭଳି କୌଣସି ପ୍ରକାର ସଙ୍କଟ ସୃଷ୍ଟି ନ ହୁଏ ସେଥିପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ମାତ୍ରାଧିକ ଚାଷ ଫଳରେ ଏହାର ଦର ଏବଂ ଚାଷୀମାନଙ୍କ ପାରିଶ୍ରମିକରେ ଯେପରି କୌଣସି ଆଞ୍ଚ ନ ଆସେ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ଏକ ନିଷ୍ପତ୍ତ ମଧ୍ୟରେ ଶୁକ୍ରବାରର ବୈଠକ ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରୁଛି। ଏହି ସହାୟତା ରାଶି ଯୋଗୁ ରାଜକୋଷ ଉପରେ ଯେଉଁ ବୋଝ ପଡିବ ସେସ୍ ଲଗାଇ ତାହାକୁ କେନ୍ଦ୍ର ସରକାର ଭରଣା କରିବାକୁ ଚେଷ୍ଟା କରିବେ। ଏହା ଦ୍ୱାରା ସାଧାରଣ ଖାଉଟିଙ୍କ ଉପରେ ପ୍ରଭାବ ପଡିବ।