ରାଜ୍ୟ

ଓଡ଼ିଶା ସରକାର ମନ୍ଥର ଗତିରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଲାଗୁ କରାଉଛନ୍ତି ; ଗଜେନ୍ଦ୍ର ସିଂହ ଶେଖାୱତ୍

ଆଓରି-ଭୁବନେଶ୍ଵର(୨୫/୦୨) : ରବିବାରଠାରୁ ଦେଶରେ ଶୁଭାରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଓଡ଼ିଶାରୁ ୯ ଲକ୍ଷ ୪୨ ହଜାର ଚାଷୀ ଉପକୃତ ହେବେ।  କିଷାନ୍ କ୍ରେଡିଟ୍‌ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ନମ୍ବର ଲିଙ୍କ୍ ଆଦି କାରଣରୁ ଉପୁଜିଥିବା କେତେକ ସମସ୍ୟା ସମାଧାନ ହୋଇଗଲେ ସମସ୍ତ ୧୦ ଲକ୍ଷ କୃଷକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ପରେ ରାଜ୍ୟ ସରକାର ଯଦି ଅଧିକ ସଂଖ୍ୟକ ଯୋଗ୍ୟ କୃଷକଙ୍କ ତାଲିକା ଦେଇ ପାରିବେ, ସେମାନଙ୍କୁ ମଧ୍ୟ ଏହି ଯୋଜନାର ସୁଫଳ ମିଳିପାରିବ। ଭୁବନେଶ୍ଵର କେନ୍ଦ୍ରୀୟ ମହିଳା କୃଷି ସଂସ୍ଥାନ(ସିଆଇଡବ୍ଲ୍ୟୁଏ) ପରିସରରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଏହି ସୂଚନା ଦେଇଛନ୍ତି।

ଆଜି ଉତ୍ତରପ୍ରଦେଶ ଗୋରଖପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଭିଡିଓ କନ୍ଫରେନ୍‌ସିଂ ମାଧ୍ୟମରେ ଭୁବନେଶ୍ଵର ସିଆଇଡବ୍ଲ୍ୟୁଏରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସାମିଲ୍ ହୋଇଥିଲା। ଏହି ଅବସରରେ ଗଣାମଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶେଖାୱତ କହିଥିଲେ ଯେ ଓଡ଼ିଶା ସରକାର ମନ୍ଥର ଗତିରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଲାଗୁ କରାଉଛନ୍ତି। ମାତ୍ର ୧୦ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ସିଧାସଳଖ ସମାଲୋଚନା ନ କରି ସେ କହିଲେ, ଏହାର ଭବିଷ୍ୟତ ନାହିଁ, କାରଣ ରାଜ୍ୟ ସରକାର ଏଥିପାଇଁ ବଜେଟ୍‌ରେ ଯଥେଷ୍ଟ ଅର୍ଥର ବ୍ୟବସ୍ଥା କରିପାରିନାହାନ୍ତି। ମାତ୍ର କେନ୍ଦ୍ର ସରକାର କିଷାନ୍ ନିଧି ଯୋଜନା ପାଇଁ ବାର୍ଷିକ ୭୫ ହଜାର କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ କରିଛନ୍ତି।

ସେହିଭଳି ଭାଗଚାଷୀ ଓ ଭୂମିହୀନମାନଙ୍କୁ କୃଷକ ସମ୍ମାନ ନିଧି ଯୋଜନାରେ ସାମିଲ୍ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଚିଠି ଉପରେ ସେ ମତ ରଖିଥିଲେ। ପ୍ରଥ‌ମେ ରାଜ୍ୟ ସରକାର ସେମାନଙ୍କୁ ଉପଯୁକ୍ତ ମାଧ୍ୟମରେ ଚିହ୍ନଟ କରନ୍ତୁ। ସବୁ କ୍ଷୁଦ୍ର ଓ ସୀମାନ୍ତ ଚାଷୀଙ୍କ ସହ ପଶୁପାଳନ ଓ ମତ୍ସ୍ୟ ଚାଷ କରୁଥିବା ଚାଷୀଙ୍କୁ କିଷାନ୍ କ୍ରେଡିଟ୍‌ କାର୍ଡ ପ୍ରଦାନ କରିବାରେ ସହଯୋଗ କରନ୍ତୁ ବୋଲି ସେ କହିଥିଲେ। ପରେ କେନ୍ଦ୍ର ସରକାର ଏହା ଉପରେ ବିଚାର କରିବେ ବୋଲି ସେ କହିଥିଲେ। ଏହି ଅବସରରେ କେନ୍ଦ୍ର କୃଷିବିଭାଗର ଯୁଗ୍ମ ସଚିବ ବିକେ ସ୍ବାଇଁ, ଆଇସିଏଆର୍‌ର ନିର୍ଦେଶକ ସନ୍ତୋଷ କୁମାର ଶ୍ରୀବାସ୍ତବ ଉପସ୍ଥିତ ଥିଲେ।ପୁରୀ ନିମାପଡ଼ାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମୁଖ୍ୟ ଗୌରୀପ୍ରିୟା ମହାପାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button