ଜାତୀୟ

ଅଟଳ ପେନ୍‌ସନ ଯୋଜନାରେ ମିଳୁଥିବା ଅର୍ଥ ରାଶିର ସୀମା ବଢ଼ିବା ସହ ବଢ଼ିବ ହିତାଧିକାରୀଙ୍କ ବୟସ ସୀମା: ଅର୍ଥମନ୍ତ୍ରୀ ନିର୍ମଳା ସତାରମଣ

ଆଅରି-ନୂଆଦିଲ୍ଲୀ(୨୭/୦୬): ଅଟଳ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ପେନସନ ଅର୍ଥ ରାଶିର ସୀମା ଓ ଏହି ଯୋଜନାର ହିତାଧିକାରୀମାନଙ୍କ ବୟସ ସୀମା ବଢ଼ାଇବାକୁ କେନ୍ଦ୍ର ସରକାର ଚିନ୍ତା କରୁଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏ ସଂପର୍କରେ ‘ପେନସନ୍‌ ଫଣ୍ଡ ରେଗୁଲେଟରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି’ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଅଟଳ ପେନ୍‌ସନ୍‌ ଯୋଜନାରେ ହିତାଧିକାରୀଙ୍କ ବୟସସୀମା ୧୮ ରୁ ୪୦ ପର୍ଯ୍ୟନ୍ତ ରଖା ଯାଇଥିଲା। ଏବଂ ୬୦ ବର୍ଷ ବୟସ ପରେ ହିତାଧିକାରୀମାନଙ୍କୁ ମାସିକ ସର୍ବନିମ୍ନ ୧୦୦୦ରୁ ଆରମ୍ଭ କରି ସର୍ବୋଚ୍ଚ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍‌ସନ ମିଳିବା ପାଇଁ ବ୍ୟବସ୍ଥା ରହିଥିଲା। ଏଥିପାଇଁ ଏହି ଯୋଜନାରେ ସାମିଲ ହେଉଥିବା ହିତାଧିକାରୀମାନଙ୍କୁ ମାସିକ ସର୍ବନିମ୍ନ ୪୨ ଟଙ୍କାର ଦେୟ ବ୍ୟାଙ୍କ୍‌ରେ ଜମା ଦେବାକୁ ପଡ଼ୁଥିଲା। ୬୦ ବର୍ଷ ବୟସ ହୋଇଯିବା ପରେ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ସେ ପସନ୍ଦ କରିଥିବା ସ୍କିମ୍‌ ଅନୁଯାୟୀ ସେ ବଞ୍ଚିଥିବା ପର୍ଯ୍ୟନ୍ତ ସର୍ବନିମ୍ନ ୧୦୦୦ରୁ ଆରମ୍ଭ କରି ସର୍ବୋଚ୍ଚ ୫୦୦୦ ଟଙ୍କା ପର୍ଯ୍ୟନ୍ତର ପେନସନ ତାଙ୍କୁ ମିଳୁଥଲା। ହିତାଧିକାରୀଙ୍କ ମୁତ୍ୟୁପରେ ତାଙ୍କ ପତ୍ନୀ ମଧ୍ୟ ଏହି ରାଶିର ପେନସନ୍‌ ପାଉଥିଲେ। ଏବଂ ପତ୍ନୀଙ୍କ ମୁତ୍ୟୁ ପରେ ହିତାଧିକାରୀ ତାଙ୍କ ଉତ୍ତରାଧିକାରୀ (ନୋମିନି) ଭାବେ ଚୟନ କରିଥିବା ବ୍ୟକ୍ତିଙ୍କୁ କର୍ପସ୍‌ ଫଣ୍ଡରୁ ସର୍ବୋଚ୍ଚ ୮.୫ ଲକ୍ଷ ଟଙ୍କା ମିଳୁଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୧.୦ ଶାସନ କାଳରେ ପ୍ରଣୟନ କରିଥିବା ଏହି ଅଟଳ ପେନସନ୍‌ ଯୋଜନା ଖୁବ୍‌ ଲୋକପ୍ରିୟ ହୋଇଥିଲା। ଏବେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ୨.୦ ଶାସନରେ ଏହି ଲୋକପ୍ରିୟ ଅଟଳ ପେନସନ ଯୋଜନାରେ ପରିବର୍ତ୍ତନ ଆଣି ମିଳୁଥିବା ପେନସନ ଅର୍ଥ ରାଶିର ସୀମା ଓ ଏହି ଯୋଜନାର ସାମିଲ ହେବା ପାଇଁ ହିତାଧିକାରୀମାନଙ୍କ ବୟସ ସୀମା ବଢ଼ାଇବାକୁ ଯୋଜନା କରୁଥିବା ଜାଣିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button