ବାଣିଜ୍ୟ

ଅକ୍ଷୟତୃତୀୟାରେ ସୁନା କିଣାକୁ ଫିକା ପକାଇନି ଚଢ଼ା ଦର

ଆଓରି(ତା୧୯|୪)- ଅକ୍ଷୟତୃତୀୟା ଅବସରରେ ରାଜଧାନୀରେ ଗହଣା ଶୋ’ରୁମ୍‌ଗୁଡ଼ିକରେ ବୁଧବାର ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖାଦେଇଥିଲା। ଦର ଉଚ୍ଚା ରହିଥିବା ସତ୍ତ୍ୱେ ବିବାହ ଋତୁ ଚାଲିଥିବାରୁ ଏହା ସୁନା କ୍ରୟ ପାଇଁ ଖୋରାକ୍‌ ଯୋଗାଇଥିଲା। ପ୍ରବଳ ଖରାଯୋଗୁ ଦିନ ସମୟରେ ସେତେଟା ଭିଡ଼ ରହି ନଥିଲେ ମଧ୍ୟ ଅପରାହ୍ନ ୪ଟା ପରେ ପରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ବଜାରରୁ ମିଳିଥିବା ତଥ୍ୟ ଅନୁସାରେ ସମଗ୍ର ରାଜ୍ୟରେ ଏହି ଦିନ ୧୦୦ରୁ ୧୧୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।

ଶୋରୁମ୍‌ଗୁଡିକ ପକ୍ଷରୁ କିଛିଦିନ ପୂର୍ବରୁ ଘୋଷଣା କରାଯାଇଥିବା ଅଫର ଗ୍ରାହକଙ୍କୁ ଆକୃଷ୍ଟ କରିଥିଲା। ସୂଚନା ଅନୁସାରେ ରାଜଧାନୀର ପ୍ରମୁଖ ଗହଣା ଶୋ’ରୁମ୍‌ଗୁଡ଼ିକ ଏପ୍ରିଲ ମାସ ପ୍ରଥମ ସପ୍ତାହରୁ ଅଫର ଘୋଷଣା କରିଥିଲେ। କେଉଁ ଶୋ’ରୁମ୍‌ରେ ଗହଣା କ୍ରୟରେ ମାଗଣା ଚାରିଚକିଆ ଯାନ ଜିତିବାର ସୁଯୋଗ ରହିଥିବା ବେଳେ ଆଉ କେଉଁଠି ସୁନା ଓ ରୁପା ମୁଦ୍ରା ପ୍ରଦାନ କରାଯାଉଛି। ସେହିପରି ଗହଣାଗୁଡ଼ିକର ଗଢା ମଜୁରିରେ ଆକର୍ଷଣୀୟ ରିହାତି ସାଙ୍ଗକୁ ଏହାର ମୂଲ୍ୟରେ ମଧ୍ୟ ରିହାତି ପ୍ରଦାନ କରାଯାଉଛି। ଏହି ଅଫର ଆସନ୍ତା ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଶୋ’ରୁମ୍‌ଗୁଡିକ ପ୍ରକାଶ କରିଛନ୍ତି। ଗତବର୍ଷର ସୁନା ଦର ତୁଳନାରେ ଚଳିତ ବର୍ଷ ସୁନା ଦର ପାଖାପାଖି ୩ ହଜାର ଟଙ୍କା ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ୧୦ଗ୍ରାମ ସୁନା ମୂଲ୍ୟ ପାଖାପାଖି ୨୯,୦୦୦ ହଜାର ଟଙ୍କା ଥିବା ବେଳେ ଚଳିତ ବର୍ଷ ଏହା ୩୧ ହଜାର ଟଙ୍କା ଅତିକ୍ରମ କରିିଛି। ତଥାପି ଶୋ’ରୁମ୍‌ଗୁଡ଼ିକର ଲୋଭନୀୟ ଅଫର ଏବଂ ବିବାହ ଋତୁ କାରଣରୁ ଗ୍ରାହକଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି। ରାଜଧାନୀର ପ୍ରମୁଖ ଗହଣା ଶୋ’ରୁମ୍‌ ଲାଲ୍‌ଚାନ୍ଦର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହେଉଛି। ଗତ ବର୍ଷ ଅକ୍ଷୟତୃତୀୟା ଦିନରେ ପ୍ରାୟ ୮ କୋଟି ଟଙ୍କାର କାରବାର ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ ଅପେକ୍ଷାକୃତ ବୃଦ୍ଧି ହୋଇଛି। ସେହିପରି ଅନ୍ୟତମ ଶୋ’ରୁମ୍‌ ଖିମ୍‌ଜୀର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ଗ୍ରାହକମାନେ ଡିଜାଇନ୍‌ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଭାରି ଗହଣା ତୁଳନାରେ ହାଲୁକା ଗହଣା କ୍ରୟ କରିବା ପାଇଁ ବେଶି ପସନ୍ଦ କରୁଛନ୍ତି। କେବଳ ଅକ୍ଷୟତୃତୀୟା ଦିନ ନୁହେଁ ବରଂ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଗହଳି ଲାଗି ରହିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅକ୍ଷୟତୃତୀୟାର ଅନୁଭୂତି ସାଉଁଟୁଥିବା ଅରୁନ୍ଧତୀ ଜୁଏଲର୍ସର କହିବା ଅନୁସାରେ, ଦିନବେଳା ପ୍ରବଳ ଖରା ଯୋଗୁ ଗ୍ରାହକଙ୍କ ସଂଖ୍ୟା ଅଧିକ ନ ଥିଲେ ମଧ୍ୟ ସାବେଳକୁ ଏହା ବୃଦ୍ଧି ପାଇଛି। ଗ୍ରାହକଙ୍କ ସୁବିଧା ପାଇଁ ସ୍ବତନ୍ତ୍ର କାଉଣ୍ଟର କରାଯାଇଛି। ସେହିପରି ଦେଶର ପ୍ରମୁଖ ଗହଣା ଶୋ’ରୁମ୍‌ ତନିଷ୍କ ପକ୍ଷରୁ କୁହାଯାଇଛି। ଗହଣାର ଦର ଅପେକ୍ଷା ଏହାର ସୁଦ୍ଧତା ଓ ଗୁଣବତ୍ତାକୁ ଗ୍ରାହକ ବେଶି ଧ୍ୟାନ ଦେଉଛନ୍ତି। କଲିକତାଭିତ୍ତିକ ଗହଣା ବ୍ରାଣ୍ଡ୍‌ ସେନ୍‌କୋର କହିବା ଅନୁସାରେ ୧୦ ଗ୍ରାମ ସୁନାର ମୂଲ୍ୟ ବର୍ତ୍ତମାନ ୩୧,୦୭୦ ଟଙ୍କା ରହିଛି। ଗହଣା କ୍ରୟ କରିବାକୁ ଆସିଥିବା ଗୃହିଣୀ ଉର୍ମିଳା ବରାଳ କହିଛନ୍ତି, ଅକ୍ଷୟ ତୃତୀୟାରେ ସୁନା କିଣିବା ବର୍ତ୍ତମାନ ଏକ ଅଭ୍ୟାସରେ ପରିଣତ ହୋଇଛି। ତେଣୁ ପ୍ରତିବର୍ଷ ଘରପାଇଁ କିଛି ନା କିଛି ସୁନା ଜିନିଷ କିଣିଥାଉ। ସେହିପରି ଭୁବନେଶ୍ୱରରେ ରହି ଚାକିରି କରୁଥିବା ମହିଳା ରେଣୁ ଶ୍ରୀବାସ୍ତବଙ୍କ କହିବାନୁଯାୟୀ, ଅକ୍ଷୟତୃତୀୟାରେ ସୁନା କିଣିବା ଶୁଭ ହୋଇଥିବାରୁ ଅଳ୍ପପରିମାଣର ହେଉ ପଛେ କ୍ରୟ କରିଥାଏ। ପୂର୍ବବର୍ଷ ଅପେକ୍ଷା ଏଥର ସୁନାଦାମ୍‌ ବଢିଛି। ଶୋ’ରୁମ୍‌ଗୁଡ଼ିକ ବିଭିନ୍ନ କଲେକ୍ସନରେ ରିହାତି ଦେଉଥିବାରୁ ଏହା ସୋନେପେ ସୁହାଗା ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button