May 19, 2024

ନବୀନଙ୍କ ବିରୋଧରେ ପ୍ରବଳ ଜନମତର କେନ୍ଦ୍ରସ୍ଥଳ ହେବ ହିଞ୍ଜିଳି: ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-In-Derabish-Aajira-Odisha

ଆଓରି-ଭୁବନେଶ୍ଵର(୨୭/୦୩) : ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଶେଷ ଦିନ । ତେବେ ହିଞ୍ଜିଳି ବିଧାନସଭା ମଣ୍ଡଳିରେ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପି ପୀତାମ୍ଭର ଆଚାର୍ଯ୍ୟଙ୍କୁ ଟିକେଟ ଦେଇଛି । ଆଜି ପୀତାମ୍ବରଙ୍କ ସମେତ ଗଞ୍ଜାମର ବହୁ ନେତା ମଧ୍ୟ ନାମାଙ୍କନ ପତ୍ର ଦାଖଲ  କରିଛନ୍ତି । ଏହି ନାମାଙ୍କନ ପତ୍ର ଦାଖଲ ଅବସରରେ ଯୋଗ ଦେଇ ୧୯ବର୍ଷ ଶାସନରେ ଥିବା ନବୀନ ପଟ୍ଟନାୟକଙ୍କ ଉପରେ ଖୁବ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଓଡିଶାରେ ନିର୍ବାଚନ ଏଥର ରୋଚକ ହେବ । ସ୍ଥାଣୁ, ଅପାରଗ, ଭ୍ରଷ୍ଟାଚାରୀ, ସମ୍ବେଦନହୀନ, ମିଛୁଆ, ମହିଳା, ଚାଷୀ, ଯୁବକ, ଗରିବ, ଦଳିତ, ଆଦିବାସୀ, ବିରୋଧୀ ସରକାର ଏବଂ ଏଠାକାର ନେତୃତ୍ୱକୁ ଏଥର ଓଡିଶାର ଜନତା ବାହାର କରିବେ । ଦେଶର ମର୍ଯ୍ୟାଦାକୁ ବିଶ୍ୱରେ ବଢାଇଥିବା, ପାକିସ୍ତାନକୁ ଧୂଳି ଚଟେଇଥିବା ଓ ଲୋକମାନଙ୍କ କଲ୍ୟାଣ ପାଇଁ ଯୋଜନା କରିଥିବା ନରେନ୍ଦ୍ର ମୋଦିଙ୍କୁ  ଓଡିଶା ଏଥର ଆଦରେଇ ନେବ । ୨୧ ରୁ ୨୧ ଲୋକସଭା ଜିତିବା ସହ ଭାରତୀୟ ଜନତା ପାର୍ଟିର ସରକାର ଏଥର ଓଡିଶାରେ ହେବ । ଗଞ୍ଜାମରେ ଏଥର ପଦ୍ମ ଫୁଟିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ହିଞ୍ଜିଳି ବିଗତ ୧୯ ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ଦେଇଛି । ଗଞ୍ଜାମ ଜିଲ୍ଲାର ପରିଶ୍ରମରେ ଭାରତବର୍ଷ ତଥା ସୁରଟ, ମୁ୍ମ୍ବାଇ, ଦିଲ୍ଲୀ ବା ଗୁଜୁରାଟର ଅନ୍ୟାନ୍ୟ ଶିଳ୍ପାଂଚଳ ଓ ଅନେକ ସହରର ଅର୍ଥନୀତି ଚାଲେ । ଗୁଜୁରାଟର ଅର୍ଥନୀତିରେ ଗଞ୍ଜାମର ବଡ ଅବଦାନ ରହିଛି । କିନ୍ତୁ ଗଞ୍ଜାମର ଯୁବକ ଓ ହିଞ୍ଜିଳିର ଯୁବତୀ ଘର ଛାଡି ଦୈନିକ ଗୁଜୁରାଣ ମେଂଟାଇବା ପାଇଁ ବାହାରକୁ ଯାଉଛି ।  ଗଞ୍ଜାମ ଜିଲ୍ଲାରେ ପିଇବା ପାଣି ବ୍ୟବସ୍ଥା ନାହିଁ, ୨୪ ଘଂଟା ବିଜୁଳି ନାହିଁ, ଋଷିକୁଲ୍ୟା ନଦୀ ଥାଇ ମଧ୍ୟ ଜଳସେଚନର ବ୍ୟବସ୍ଥା ନାହିଁ, କୃଷକ ମାନଙ୍କର ଅକଥନୀୟ ବ୍ୟବସ୍ଥା ଦେଖାଯାଇଥିବା ବେଳେ ଏଠାରେ ମହିଳାମାନେ ସବୁଠୁ ଅସୁରକ୍ଷିତ । ଗୋଟିଏ ଅପାରଗ ଶାସନର କେନ୍ଦ୍ରବିନ୍ଦୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଓଡିଶାରେ ପ୍ରବଳ ଜନମତ ଦେଖାଦେଇଛି । ହିଞ୍ଜିଳି ଓ ଗଞ୍ଜାମ ତା’ର ଭୂମିକମ୍ପର ମୂଳ କେନ୍ଦ୍ରସ୍ଥଳ ହେବା ପାଇଁ ଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ହିଞ୍ଜିଳିରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଜିତିବେ । ଏଠାରେ ନବୀନ ବାବୁ ସରକାରୀ କଳକୁ ଲଗାଇ ଗଣତନ୍ତ୍ରକୁ ତଂଟି ଚିପିବାର ଅଭ୍ୟାସ ଅଛି, ତାହାକୁ ଗଞ୍ଜାମ ତଥା ଓଡିଶାବାସୀ ଜବାବ ଦେବେ । ପିତାମ୍ବର ଆଚାର୍ଯ୍ୟ ଯେଉଁ ପ୍ରଶ୍ନ ପଚାରିବେ, ନବୀନ ବାବୁଙ୍କୁ ତାହାର ଜବାବ ଦେବାକୁ ପଡିବ ।  ଏହି ଅଂଚଳର ଯୁବକ କାହିଁକି ବାହାର ରାଜ୍ୟକୁ କାମ କରିବାକୁ ଯାଉଛି ତାର ଜବାବ୍ ନବୀନ ବାବୁଙ୍କୁ ଦେବା ପାଇଁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଘସିପୁରା ବା ଓଡିଶାର ଅନ୍ୟାନ୍ୟ ଅଂଚଳରେ ଶାସକ ଦଳ ଆଜି ରକ୍ତ ମୁଖା ହୋଇଯାଇଛି । ବିଜୁ ଜନତା ଦଳର ନେତାମାନେ କିଛି ନିର୍ଦ୍ଦିଷ୍ଟ ସରକାରୀ ପୋଲିସ ଅଧିକାରୀମାନଙ୍କୁ ହାତବାରିସୀ କରି ଗରିବ ଓଡିଆ ଲୋକମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି । ସରକାର ବିଶେଷତଃ ପୋଲିସ ବିଭାଗ ଆଖି ବୁଜି ଦେଇଛି । ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଥିବା ବେଳେ ଏଥିପାଇଁ ବିଶେଷ ପଦକ୍ଷେପ ନେବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ପକ୍ଷରୁ ଦାବୀ କରାଯାଉଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.