ଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଅନ୍ତିମ ସତ୍କାର ; ପଞ୍ଚଭୂତରେ ଲୀନ ହେଲେ ଅଟଳ

ଆଓରି-ନୂଆଦିଲ୍ଲୀ(୧୭/୮) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଯଶସ୍ୱୀ କବି, ସଶକ୍ତ ସାମ୍ବାଦିକ, ରାଜନୀତିର ‘ଭୀଷ୍ମ ପିତାମହ’, ‘ଅଜାତଶତ୍ରୁ’, ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ଅନ୍ତିମ ସତ୍କାର ରାଷ୍ଟ୍ରୀୟ ସମ୍ମାନ ସହ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଶେଷ ହୋଇଛି। ଏହାସହ ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି। ଶୁକ୍ରବାର ଦିଲ୍ଲୀର ସ୍ମୁତିସ୍ଥଳଠାରେ ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କୁ ରାଜକୀୟ ସମ୍ମାନ ସହ ବିଦାୟ ଦେଇଛି ଦେଶ। ତିନି ସେନାମୁଖ୍ୟଙ୍କ ସହ ତୋପ ସଲାମି ଦିଆଯାଇଥିଲା ଭାରତର ଏହି ସୁଯୋଗ୍ୟ ସନ୍ତାନଙ୍କୁ। ଅନ୍ତିମ ସତ୍କାର ସ୍ଥଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ୍‍ କାରଜାଇ, ପାକିସ୍ତାନର କାର୍ଯ୍ୟକାରୀ ଆଇନ୍‍ ମନ୍ତ୍ରୀ ସୟଦ ଅଲି ଜାଫର, ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି, ଶ୍ରୀଲଙ୍କା କାର୍ଯ୍ୟକାରୀ ଆଇନ୍‍ ମନ୍ତ୍ରୀ ଲକ୍ଷ୍ଣଣ କିରିଏଲା, ଭୁଟାନ ନରେଶ ଜିଗମେ ଖେସର ନାମଗେଲ ୱାଙ୍ଗଚୁକ୍‍, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ।
ଶୁକ୍ରବାର ଦିନ ୧ଟାରେ ବିଜେପି ଦଳୀୟ କାର୍ଯ୍ୟାଳୟରୁ ବାଜପେୟୀଙ୍କ ପ୍ରାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ରାଷ୍ଟ୍ରୀୟ ସ୍ମୃତିସ୍ଥଳକୁ ଅଣାଯାଇଥିଲା। ସେଠାରେ ଅନ୍ତିମ ସତ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତାଙ୍କ ପାଳିତା କନ୍ୟା ନମିତା ମୁଖାଗ୍ନି ଦେଇଥିଲେ। ଶୋଭାଯାତ୍ରାରେ ବହୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ‘ବାଜପେୟୀ ଅମର ରହେ’ ସ୍ଲୋଗାନରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ପହଞ୍ଚିବା ପରେ ସେଠାରେ ତିନି ସେନା ବାହିନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେଠାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ଓ ସାର୍କ ରାଷ୍ଟ୍ର ମୁଖ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button