ଜାତୀୟ

ଅଟଳ ବିହାରୀ ବାଜପେୟୀ ଙ୍କୁ ଶେଷ ସମ୍ମାନ ; ଶବ ଶୋଭାଯାତ୍ରା ପାଇଁ ଦିଲ୍ଲୀର ୨୫ ରାସ୍ତା ରହିବ ବନ୍ଦ

ଆଓରି-ନୂଆଦିଲ୍ଲୀ(୧୭/୮) : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରୁ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ସେନା ବାହିନୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଟଳଙ୍କ ପାର୍ଥିବ ଶରୀରର ପଟୁଆର ଯାଉଛି। ଶବାଧାରରେ ‘ଅଟଳ ଅମର ରହେ’ ଓ ‘ବନ୍ଦେ ମାତରମ୍‍’ ଧ୍ୱନି ଚତୁର୍ଦ୍ଦିଗ ପ୍ରକମ୍ପିତ କରୁଛି। ସେଠାରେ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀରକୁ ଦଳୀୟ କର୍ମକର୍ତ୍ତା ଓ ସାଧାରଣ ଜନତାଙ୍କ ଶେଷ ଦର୍ଶନ ପାଇଁ ରଖାଯିବ। ତା’ ପରେ ସେଠାରୁ ଆରମ୍ଭ ହେବ ଅଟଳଙ୍କ ଅନ୍ତିମ ଯାତ୍ରା। ଦିଲ୍ଳୀ ସ୍ମୃତି ସ୍ଥଳରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବିଦେଶରୁ ବହୁ ପ୍ରତିନିଧି ଅନ୍ତିମ ସଂସ୍କାରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ସକାଳୁ ବିଜେପି କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ଲାଗି ରହିଛି। ଦୀନଦୟାଲ ମାର୍ଗଠାରେ ଥିବା ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରଟ୍‍ସ୍‍ ସମେତ ବିଭିନ୍ନ ଦେଶରୁ ଶୋକ ବାର୍ତ୍ତା ପହଞ୍ଚିବାରେ ଲାଗିଛି। ଆଜି ସକାଳୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସମେତ ବହୁ ଦଳୀୟ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି।

ଶୁକ୍ରବାର ଅପରାହ୍ଣ ୪ଟା ବେଳେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶବ ସତ୍କାର କରାଯିବ। ଦୀନ ଦୟାଲ ମାର୍ଗସ୍ଥିତ ବିଜେପି ମୁଖ୍ୟାଳୟରୁ ଦିବା ୧ଘଟିକା ସମୟରେ ଅନ୍ତିମ ଶୋଭାଯାତ୍ରା ବାହାରିବ। ଦିନ ୯ଟା ପର ଠାରୁ ବିଜେପି ମୁଖ୍ୟାଳୟରେ ସର୍ବସାଧାରଣ ବାଜପେୟୀଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିପାରିବେ।

ଲାଲ ବାହାଦୁର ଶାସ୍ତ୍ରୀଙ୍କ ବିଜୟ ଘାଟ ଏବଂ ଜବାହରଲାଲ୍‌ ନେହେରୁଙ୍କ ସ୍ମାରକୀ ଶାନ୍ତି ବନ ମଧ୍ୟରେ ଅବସ୍ଥିତ ସ୍ମୃତି ସ୍ଥଳ ଠାରେ ଶବ ଶୋଭାଯାତ୍ରା ସମାପ୍ତ ହେବ। ଏଥିପାଇଁ ଦିଲ୍ଲୀ ପୁଲିସ ଜାତୀୟ ରାଜଧାନୀ ନିମନ୍ତେ ଟ୍ରାଫିକ୍‌ ଆଡ୍‌ଭାଇଜରି ଜାରି କରିଛି। ସୁରୁଖୁରୁରେ ବାଜପେୟୀ ଅନ୍ତିମ ଯାତ୍ରା ସମାପନ କରିବା ନିମନ୍ତେ କୃଷ୍ଣ ମେନନ୍‌ ମାର୍ଗ, ଜନପଥ ଏବଂ ଇଣ୍ଡିଆ ଗେଟ୍‌ ସି-ହେକ୍ସାଗନ୍‌ ସମେତ କେନ୍ଦ୍ରୀୟ ଦିଲ୍ଲୀକୁ ପଡ଼ିଥିବା ପ୍ରାୟ ସମସ୍ତ ରାସ୍ତା ସକାଳ ୮ଟା ଠାରୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ବନ୍ଦ ରହିବ।

Related Articles

Leave a Reply

Your email address will not be published. Required fields are marked *

Back to top button