ରାଜ୍ୟ

ସେପ୍ଟେମ୍ବର ଶେଷ ସପ୍ତାହ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ଝାରସୁଗୁଡ଼ାରୁ ରାଞ୍ଚିକୁ ହେବ ବିମାନ ଉଡ଼ାଣ

ଆଓରି-ନୂଆଦିଲ୍ଲୀ(୧୪/୯) : ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ବିମାନବନ୍ଦରକୁ ଉଦ୍‌ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ଉଡାନ୍‌’ ଯୋଜନାରେ ଆରମ୍ଭ ହେବାକୁ ଥିବା ଝାରସୁଗୁଡ଼ା- ଭୁବନେଶ୍ୱର ବିମାନ ସେବାକୁ ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି। ଆଜି ଏନେଇ ନୂଆଦିଲ୍ଲୀରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏୟାର ଓଡ଼ିଶା ସକାଳ ୬ଟାରେ ଭୁବନେଶ୍ୱରରୁ ରାୟପୁର ଅଭିମୁଖେ ଉଡ଼ାଣ କରୁଥିଲା କିନ୍ତୁ ଝାରସୁଗୁଡ଼ାକୁ ବିମାନ ସେବା ଆରମ୍ଭ ହେଲେ ଏହି ଉଡ଼ାଣ ସୂଚୀ ବଦଳିଯିବ। ଝାରସୁଗୁଡ଼ାରେ ଭିଜିବିଲିଟି କମ୍‌ ରହୁଥିବାରୁ ବିମାନ ସକାଳ ୭ଟାରେ ଭୁବନେଶ୍ୱର ଛାଡ଼ି ୭ଟା ୫୦ରେ ଝାରସୁଗୁଡ଼ାରେ ଅବତରଣ କରିବ ବୋଲି ଆପାତତଃ ସ୍ଥିର ହୋଇଛି। ଡିଜିସିଏ ସପ୍ତାହକ ମଧ୍ୟରେ ଏହି ଉଡ଼ାଣ ସୂଚୀ ଧାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଏୟାର ଓଡ଼ିଶାର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର-ଝାରସୁଗୁଡ଼ା-ରାୟପୁର ବିମାନ ସେବା ଆରମ୍ଭ ହେବା ପରେ ଝାରସୁଗୁଡ଼ାରୁ ରାଞ୍ଚିକୁ ବିମାନ ଉଡ଼ାଣ ହେବ। ସେପ୍ଟେମ୍ବର ଶେଷ ସପ୍ତାହ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ଏହି ରୁଟ୍‌ରେ ବିମାନ ସେବା ଆରମ୍ଭ ହେବ। ଉଡାନ୍‌ ଯୋଜନାରେ ବିମାନ ସେବା ଯୋଗାଇ ଦିଆଯିବ।

ସୂଚନା ଅନୁଯାୟୀ, ଏୟାର ଓଡ଼ିଶାର ବିମାନ ଏବେ ଭୁବନେଶ୍ୱରରୁ- ରାୟପୁରକୁ ଯାଉଥିଲେ ହେଁ ଉଡାନ୍‌ ଯୋଜନା ଅନୁଯାୟୀ, ଏହି ବିମାନ ଭୁବନେଶ୍ୱର-ଝାରସୁଗୁଡ଼ା- ରାୟପୁରକୁ ଉଡ଼ାଣ କରିବ। ଏବେ ଝାରସୁଗୁଡ଼ାକୁ ବିମାନ ସେବା ଆରମ୍ଭ ହୋଇପାରିନଥିବାରୁ ଏୟାର ଓଡ଼ିଶା ଉଡାନ୍‌ ଯୋଜନାରେ ପାଇବାକୁ ଥିବା ସବ୍‌ସିଡି ପାଇପାରୁନାହିଁ। ଏୟାର ଓଡ଼ିଶାର ଝାରସୁଗୁଡ଼ା-ଭୁବନେଶ୍ୱର ବିମାନ ଉଦ୍‌ଘାଟନ ହେବାକୁ ଥିଲେ ହେଁ ଏପର୍ଯ୍ୟନ୍ତ ଡିଜିସିଏ ପକ୍ଷରୁ ଏହାର ଉଡ଼ାଣ ସୂଚୀ ଅନୁମୋଦନ ହୋଇନାହିଁ। ଏପରିକି ଏୟାର ଓଡ଼ିଶା କର୍ତ୍ତୃପକ୍ଷଙ୍କୁ ଆଇଏଟିଏ (ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ୍‌) କୋଡ୍‌ ମିଳିନଥିବାରୁ ସେମାନେ ସେପ୍ଟେମ୍ବର ୨୨ କି ଏହା ପରଦିନଗୁଡ଼ିକ ପାଇଁ ବୁକିଂ କରିପାରୁନାହାନ୍ତି। କେବଳ ଏୟାର ଓଡ଼ିଶା ନୁହେଁ ଅନ୍ୟ ବିମାନ ଉଡ଼ାଣକାରୀ ସଂସ୍ଥା ବି ଏହି ସମସ୍ୟା ଯୋଗୁଁ ବୁକିଂ କରିପାରୁନାହାନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିମାନ ବୁକିଂ ପାଇଁ ତିନି ଅକ୍ଷର ବିଶିଷ୍ଟ ଆଇଏଟିଏ କୋଡ୍‌ ନିତାନ୍ତ ଆବଶ୍ୟକ। ଏହି କୋଡ୍‌ ଧାର୍ଯ୍ୟ କରିବା ପୂର୍ବରୁ ଏହା ଯେପରି ଅନ୍ୟ ବିମାନବନ୍ଦର କୋଡ୍‌ ସହିତ ମିଶିନଯାଏ ସେଥିପାଇଁ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଏପରିକି ଏହି କୋଡ୍‌ ଡିଜିସିଏ କି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବା ରାଜ୍ୟ ସରକାର ସ୍ଥିର କରିନଥାନ୍ତି । ଏହି କୋଡ୍‌ ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଦେଉଥିବାରୁ ଏବେ ଆମେ କିଛି କରିପାରୁନୁ। ଭୁବନେଶ୍ୱର ବିମାନବନ୍ଦରର କୋଡ୍‌ ଯେପରି ‘ବିବିଆଇ’ ରହିଛି ସେହିପରି ଗୋଟିଏ କୋଡ୍‌ ମିଳିବ। ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡ଼ୁଛି ଝାରସୁଗୁଡ଼ା ବିମାନବନ୍ଦରର ଆଇଏଟିଏ କୋଡ୍‌ (ଜେଆର୍‌ଜି) ରହିପାରେ। କିନ୍ତୁ ଏହା ଚୂଡ଼ାନ୍ତ ହୋଇନଥିବାରୁ ବିମାନ ଉଡ଼ାଣକାରୀ ସଂସ୍ଥାଗୁଡ଼ିକ ବୁକିଂ କରିପାରୁନାହାନ୍ତି। ଏହି କୋଡ୍‌ ବିମାନବନ୍ଦର କୋଡ୍‌, ସ୍ଥାନ ଚିହ୍ନଟ ପାଇଁ ବି ବ୍ୟବହାର ହୋଇଥାଏ।

ଝାରସୁଗୁଡ଼ା ବିମାନବନ୍ଦରକୁ ଆଇଏଟିଏ କୋଡ୍‌ ମିଳିନଥିଲେ ହେଁ ଏଠାରେ ବିମାନ ଅବତରଣ ପାଇଁ ଆବଶ୍ୟକ ଆଇସିଏଓ (ଇଣ୍ଟରନ୍ୟାସନାଲ୍‌ ସିଭିଲ୍‌ ଆଭିଏସନ୍‌ ଅର୍ଗାନାଇଜେସନ୍‌) କୋଡ୍‌ ମିଳିସାରିଛି। ବିମାନବନ୍ଦର କେଉଁ ଅଞ୍ଚଳରେ ରହିଛି, ପାଣିପାଗ କେନ୍ଦ୍ର, କେଉଁ ରାଜ୍ୟରେ ବିମାନ ସେବା ପ୍ରଦାନ କରାଯାଉଛି ତାହାକୁ ଧ୍ୟାନରେ ରଖି ଏହି ଚାରି ଅକ୍ଷର ବିଶିଷ୍ଟ କୋଡ୍‌ ଦିଆଯାଇଛି। ଝାରସୁଗୁଡ଼ା ବିମାନବନ୍ଦରର ଆଇସିଏଓ କୋଡ୍‌ ହେଉଛି ‘ଭିଇଜେଏଚ୍‌’।

Related Articles

Leave a Reply

Your email address will not be published. Required fields are marked *

Back to top button