ଖେଳ

ଚ୍ୟାଲେଞ୍ଜର୍ସର ପ୍ରଥମ ବିଜୟ

ଆଓରି(ତା୧୪|୪) –  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ଟି ବଲ ବାକିଥାଇ ୪ ଉଇକେଟରେ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଟସ୍‌ ଜିତି ବାଙ୍ଗାଲୋର ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୯.୨ ଓଭରରେ ୧୫୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବାଙ୍ଗାଲୋର ୧୯.୩ ଓଭରରେ ୬ ଉଇକେଟ ହରାଇ ୧୫୯ ରନ କରି ବିଜୟୀ ହୋଇଛି। କଞ୍ଜୁସ୍‌ ବୋଲିଂ କରି ୩ ଉଇକେଟ ନେଇଥିବା ବାଙ୍ଗାଲୋର ଦ୍ରୁତ ବୋଲର ଉମେଶ ଯାଦବ ମ୍ୟାନ ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୫୬ ରନ ଟାର୍ଗେଟର ପିଛା କରି ବାଙ୍ଗାଲୋର ଆରମ୍ଭରୁ ଝଟ୍‌କା ଖାଇଥିଲା। ଓପନର ବ୍ରେଣ୍ଡନ ମ୍ୟାକ୍‌କୁଲମ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଏହା ପରେ କୋହଲି ୧୬ ବଲରୁ ମାତ୍ର ୨୧ ରନ କରି ଆଉଟ ହେବା ପରେ ଅନ୍ୟତମ ଓପନର କ୍ୱିଣ୍ଟନ ଡି’କକ୍‌ ୩୪ ବଲରୁ ୭ ଚୌକା ଓ ୧ ଛକା ସହ ଦ୍ରୁତ ୪୫ ରନ କରି ଅଶ୍ୱିନଙ୍କ ବଲରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଏହାର ଠିକ୍‌ ପର ବଲରେ ସର୍ଫରାଜ ଖାଁଙ୍କୁ ବିନା ସ୍କୋରରେ ଆଉଟ କରିଥିଲେ ଅଶ୍ୱିନ। କ୍ରମାଗତ ଦୁଇଟି ବଲ୍‌ରେ ଦୁଇ ଉଇକେଟ ହରାଇ ବାଙ୍ଗାଲୋର ବ୍ୟାକ୍‌ ଫୁଟକୁ ଚାଲିଯାଇଥିଲା। ତେବେ ଅଭିଜ୍ଞ ଏବି ଡି’ଭିଲର୍ସ ୫୭ ରନର (୪୦ ବଲ, ୨ ଚୌକା, ୪ ଛକା) ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହେବା ପରେ ମନଦୀପ ସିଂ ୧୯ ବଲରୁ ୨୨ ରନ କରି ପ୍ୟାଭିଲିୟନ ଫେରିବା ପୂର୍ବରୁ ବିଜୟ ପଥ ସୁଗମ କରିଥିଲେ। ଓ୍ବାଶିଂଟନ ଦୁଇଟି ଚୌକା ସହ ୯ ରନ କରି ଅପରାଜିତ ରହି ଦଳକୁ ଜିତାଇଥିଲେ। ବୋଲିଂରେ ପଞ୍ଜାବ ତରଫରୁ ଅଶ୍ୱିନ ୨, ଅକ୍ଷର ପଟେଲ, ମୁଜିବ ଉର ରହମାନ ଓ ଆଣ୍ଡ୍ର୍ୟୁ ଟାଏ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ଦଳ ଦମ୍‌ଦାର ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଭଲ ହାରରେ ରନ ସଂଗ୍ରହ କରିପାରି ନ ଥିଲା। ଫଳରେ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଦଳର ୩ଜଣ ବ୍ୟାଟ୍ସମ୍ୟାନଙ୍କୁ ବାଦ ଦେଲେ ଅନ୍ୟମାନେ ସଫଳ ହୋଇ ନଥିଲେ। ଓପନର ଲୋକେଶ ରାହୁଲ ୩୦ ବଲରୁ ୨ ଚୌକା ଓ ୪ ଛକା ସହ ଦ୍ରୁତ ୪୭ ରନ କରି ଆଉଟ ହୋଇଥିଲେ। ଅନ୍ୟତମ ଓପନର ମୟଙ୍କ ଅଗ୍ରଓ୍ବାଲ ୧୫, ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ କରୁନ ନାୟାର ୨୯, ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଦ୍ରୁତ ୩୩, ମାର୍କସ ଷ୍ଟୋଇନିସ୍‌ ୧୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ଅଭିଜ୍ଞ ଯୁବରାଜ ସିଂ ୪ ରନ କରି ବିଫଳ ହୋଇଛନ୍ତି। ବୋଲିଂରେ ବାଙ୍ଗାଲୋର ତରଫରୁ ଉମେଶ ଯାଦବ ସର୍ବାଧିକ ୩, କ୍ରିସ ଓ୍ବକ୍ସ, କୁଲଓ୍ବନ୍ତ ଖେଜ୍ରୋଲିୟା ଓ ଓ୍ବାଶିଂଟନ ସୁନ୍ଦର ଦୁଇଟି ଲେଖାଏ, ୟୁଜବେନ୍ଦ୍ର ଚହଲ ଗୋଟିଏ ଉଇକେଟ ହାସଲ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button