ଖେଳ

ଆର୍‌ସିବି ପରାସ୍ତ; ମୁମ୍ବଇର ପ୍ରଥମ ବିଜୟ

ଆଓରି(ତା୧୮|୪)-  ଆଇପିଏଲ୍‌-୧୧ରେ ୪ର୍ଥ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି ଗତବର୍ଷର ଚମ୍ପିଆନ୍‌ ମୁମ୍ବଇ ଇଣ୍ଡିଆନ୍‌ସ। ରୋହିତ ଶର୍ମାଙ୍କ ୯୪ ରନ୍‌ର ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୪୬ ରନ୍‌ରେ ମୁମ୍ବଇ ପରାସ୍ତ କରିଛି। ରୋହିତ ଓ ଏଭିନ୍‌ ଲୁଇସ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଗତଥରର ଚମ୍ପିଆନ୍‌ ମୁମ୍ବଇ ଇଣ୍ଡିଆନ୍‌ସ ୬ ୱିକେଟରେ ୨୧୩ ରନ୍‌ କରିଥିଲା। ପରେ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୯୨ ରନ୍‌ ସତ୍ତ୍ୱେ ଆର୍‌ସିବି ୮ ୱିକେଟ ହରାଇ ୧୬୭ ରନ୍‌ କରି ପାରିଥିଲା। ୪ର୍ଥ ମ୍ୟାଚ୍‌ରେ ଆର୍‌ସିବିର ଏହା ୩ୟ ପରାଜୟ।
ସମ୍ମୁଖରେ ୨୧୪ ରନ୍‌ର ବିଶାଳ ଲକ୍ଷ୍ୟ ଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓପ୍‌ନିଂ ଯୋଡ଼ିରେ ୪ ଓଭରରେ ୪୦ ରନ୍‌ କରିଥିଲା। କ୍ୱିଣ୍ଟନ୍‌ ଡି କକ୍‌ ୧୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୯ ରନ୍‌କରି ଆଉଟ ହୋଇଥିଲେ। ସେହି ଓଭରରେ ଏବି ଡି’ଭିଲିଅର୍ସ (୧) ଆଉଟ ହୋଇଯିବା ଆର୍‌ସିବି ପାଇଁ ଶକ୍ତ ଧକ୍କା ଥିଲା। ପରେ ସ୍କୋର୍‌ ୭୫ ରନ୍‌ ହେବା ପରେ ମନଦୀପ ସିଂହ (୧୬) ଓ କୋରି ଆଣ୍ଡରସନ୍‌ (୦) ଗୋଟିଏ ଓଭରରେ ଆଉଟ ହୋଇ ଯାଇଥିଲେ। ପରେ ଦୁଇ ଯୁବ ଖେଳାଳି ୱାଶିଂଟନ ସୁନ୍ଦର (୭) ଓ ସର୍ଫରାଜ ଖାଁ (୫) ଆଉଟ ହୋଇଥିଲେ। ୧୦୩ ରନ୍‌ରେ ୬ଟି ୱିକେଟ ହରାଇ ବାଙ୍ଗାଲୋର ଦୟନୀୟ ସ୍ଥିତିରେ ଥିଲା। କ୍ରିସ୍‌ ୱକ୍‌ସ ୧୧ ରନ୍‌ କରିଥିଲେ। ଗୋଟିଏ ପଟେ ଏକା ଲଢ଼ି କୋହଲି ୬୨ ବଲ୍‌ରୁ ୪ଟି ଛକା ଓ ୭ଟି ଚୌକା ସହ ୯୨ ରନ୍‌କରି ଅପରାଜିତ ଥିଲେ। କ୍ରୁନାଲ ପାଣ୍ଡ୍ୟା ୩ଟି ଏବଂ ମିଚେଲ ମ୍ୟାକ୍‌କ୍ଲିନାଘାନ ଓ ଯଶପ୍ରୀତ ବୁମ୍‌ରା ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଟସ୍‌ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫିଲ୍‌ଡିଂ ନେବା ପରେ ଉମେଶ ଯାଦବ ଇନିଂସର ପ୍ରଥମ ୨ଟି ବଲ୍‌ରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ୍‌ କିଷନ୍‌ଙ୍କ ୱିକେଟ ନେଇଥିଲେ। ଏହାସତ୍ତ୍ୱେ ମୁମ୍ବଇ ଇଣ୍ଡିଆନ୍‌ସ ୨୧୩ ରନ୍‌ କରି ପାରିଥିଲା। ଏଭିନ୍‌ ଲୁଇସ୍‌ ଓ ଅଧିନାୟକ ରୋହିତ ଶର୍ମା ପ୍ରତ୍ୟାକ୍ରମଣ କରି ଆର୍‌ସିବିକୁ ଚାପରେ ପକାଇଥିଲେ। ଦୁହେଁ ୧୧ ଓଭରରୁ ୧୦୮ ରନ୍‌ ନେଇଥିଲେ। ୱେଷ୍ଟଇଣ୍ଡିଜ୍‌ର ଲୁଇସ୍‌ ୪୨ ବଲ୍‌ରୁ ୫ଟି ଛକା ଓ ୬ଟି ଚୌକା ସହ ୬୫ ରନ୍‌ କରିଥିଲେ। ଇନିଂସର ପ୍ରଥମାର୍ଦ୍ଧରେ ଲୁଇସ୍‌ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ରୋହିତଙ୍କ ବ୍ୟାଟ୍‌ ଗର୍ଜିଥିଲା। କ୍ରୁନାଲ୍‌ ପାଣ୍ଡ୍ୟାଙ୍କ ସହ ୪ର୍ଥ ୱିକେଟ ପାଇଁ ରୋହିତ ୪୦ ରନ୍‌ ଯୋଡ଼ିବା ପରେ ପାଣ୍ଡ୍ୟା ୧୫ ଓ ପରେ କୈରନ୍‌ ପୋଲାର୍ଡ ୫ ରନ୍‌କରି ଆଉଟ ହୋଇଥିଲେ। ତେବେ ଅନ୍ୟପଟେ ରୋହିତ ଚମତ୍କାର ବ୍ୟାଟିଂ କରି ଚାଲିଥିଲେ। ରୋହିତଙ୍କ ପ୍ରହାର ଯୋଗୁଁ ଶେଷ ୭ ଓଭରରେ ମୁମ୍ବଇ ୯୫ ରନ୍‌ ନେଇ ପାରିଥିଲା। ଶେଷ ଓଭରରେ ଛକାମାରି ଶତକ ପୂରଣ କରିବା ଲକ୍ଷ୍ୟରେ ରୋହିତ ବାଉଣ୍ଡରୀରେ କ୍ୟାଚ୍‌ ହୋଇଥିଲେ। ଏହାପୂର୍ବରୁ ରୋହିତ ୫୨ ବଲ୍‌ରୁ ୫ଟି ଛକା ଓ ୧୦ଟି ଚୌକା ସହ ୯୪ ରନ୍‌ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୫ଟି ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ଦ୍ରୁତ ୧୭ ରନ୍‌କରି ଅପରାଜିତ ଥିଲେ। ଉମେଶ ଯାଦବ ଓ କୋରି ଆଣ୍ଡରସନ୍‌ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button